ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

ଅନୁଗୋଳ ଜିଲ୍ଲାରେ ଘଟିଥିବା ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ଭଳି ସମ୍ବେଦନଶୀଳ ମାମଲାର ଚୁଡାନ୍ତ ରାୟ ଆଜି ପ୍ରକାଶ ପାଇଛି । ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀକୁ  ଫାଶୀଦଣ୍ଡା ଦେଶ । ମାମଲାର ଶୁଣାଣି କରି ୧୩ ମାସ ମଧ୍ୟରେ ଏହି ରାୟ ଶୁଣାଇଛନ୍ତି ଅନୁଗୁଳ ପୋକ୍ସୋ କୋର୍ଟ । ୪ ବର୍ଷ ୧୦ ମାସର ଜଣେ କୋମଳମତି ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ବାବୁଲା ଜେନା (୪୦)କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ପୋକ୍ସୋ କୋର୍ଟ । ଡିଏନଏ ରିପୋର୍ଟ, ଫରେନ୍ସିକ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଛି ଅଭିଯୁକ୍ତ ।

୨୦୨୫ ମସିହା ମାର୍ଚ୍ଚ ୧୪ ତାରିଖରେ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ୪ ବର୍ଷ ୧୦ ମାସର ନାବାଳିକା ଝିଅ ନିଖୋଜ ଥିବା ନେଇ ଅଭିଯୋଗ ଆଣିଥିଲେ ପରିବାର ଲୋକେ । ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ୧୫ ତାରିଖରେ ଘର ପାଖ ମହୁଲ ଗଛ ନିକଟରେ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ଜଣାପଡ଼ିଥିଲା । ଏ ଘଟଣାରେ ପୋଲିସ ୧୭ ତାରିଖରେ ଅନୁଗୁଳ ଜିଲ୍ଲା ଜରପଡା ଥାନା ଜେରେଙ୍ଗ ଗାଁର ୪୦ ବର୍ଷୀୟ ବାବୁଲା ଜେନାକୁ ଗିରଫ କରିଥିଲା । ପୋକ୍ସୋ କୋର୍ଟ ଏ ମାମଲାର ବିଚାର କରି ଡିଏନ୍‌ଏ ରିପୋର୍ଟ, ଫରେନ୍ସିକ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଆଧାରରେ ବାବୁଲାକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।