ଭୁବନେଶ୍ୱର: ରାଜ୍ୟରେ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏହି ସୂଚନା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଦେଇଛନ୍ତି। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ପ୍ରକଳ୍ପ ପାଇଁ ଜାତୀୟ ମେଟ୍ରୋ ରେଳ ନୀତି ସହ ସମନ୍ୱୟ ଆବଶ୍ୟକ। କିନ୍ତୁ ଆଶାଠାରୁ କମ୍ ଯାତ୍ରୀ ସଂଖ୍ୟା ପ୍ରକଳ୍ପର ବ୍ୟବହାରିକତା ଉପରେ ପ୍ରଶ୍ନ ଉଠାଇଛି।
ପ୍ରକଳ୍ପର ବୈଷୟିକ ଓ ଆର୍ଥିକ ପ୍ରାସଙ୍ଗିକତାକୁ ପୁନଃ ଅନୁଧ୍ୟାନ କରିବା ପାଇଁ ସରକାର ଏହାକୁ ସ୍ଥଗିତ କରିଥିବା ସେ କହିଛନ୍ତି। ଏହି ଉଦ୍ଦେଶ୍ୟରେ ଏକ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି। ଏହାସହିତ “Sustainable Urban Mobility Transition Plan for Odisha” ନାମକ ଏକ ବ୍ୟାପକ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ମାଧ୍ୟମରେ ମେଟ୍ରୋ ରେଳ ସହିତ ରାଜ୍ୟର ସମଗ୍ର ସହରୀ ପରିବହନ ବ୍ୟବସ୍ଥାକୁ ଆଧୁନିକ ଓ ସୁସ୍ଥିର ରୂପ ଦେବାରେ ସହାୟତା ମିଳିବ। କମିଟିର ସୁପାରିଶ ଆଧାରରେ ସରକାର ଆଗାମୀ ଦିନରେ ମେଟ୍ରୋ ପ୍ରକଳ୍ପ ନେଇ ଅନ୍ତିମ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି।