ଆହୁରି ୨ ଦିନ ବର୍ଷା; କିଛି ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ଆଲର୍ଟ

ପଶ୍ଚିମା ବାୟୁ ଓ ଝଡ ପ୍ରବାହ ସହ ଘୁର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟରେ ଆହୁରି ଦୁଇଦିନ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ସହ କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକରୁ ମାଧ୍ୟମ ଧାରଣର ବର୍ଷା ହେବା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଏହା ସହ ସୁନ୍ଦରଗଡ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଭଳି ଜିଲ୍ଲାରେ ବିଜୁଳି ସହ ହାଲୁକରୁ ମାଧ୍ୟମ ବର୍ଷା ସମ୍ଭାବନା ରହିଥିବାବେଳେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ମଧ୍ୟ ମୟୂରଭଞ୍ଜ ଓ କେନ୍ଦୁଝରରେ ଏହିପରି ପାଗ ପରିସ୍ଥିତି ରହିପାରେ ବୋଲି ଆକଳନ କରାଯାଇଛି।

ରାଜ୍ୟର କେତେକ ସ୍ଥାନରେ ବର୍ଷା ସହ ୪୦ ରୁ ୫୦ କିଲୋମିଟର ଓ କେତେକ ସ୍ଥାନରେ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଉତ୍ତର ଓଡିଶା ଉପକୂଳ ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରାଯାଇଥିବାବେଳେ ପବନର ତୀବ୍ରତା ଯୋଗୁ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି। ଏହି ପରିସ୍ଥିତିରେ ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ମାଛ ଧରିବା ପାଇଁ ସମୁଦ୍ରକୁ ଯିବାକୁ ମାଛ ଧରୁଥିବା ଲୋକଙ୍କୁ ବାରଣ କରାଯାଇଛି।

ଏପରିସରେ ଗତ ୨୪ ଘଣ୍ଟାରେ ରାଜ୍ୟର ୧୩ଟି ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ଝାରସୁଗୁଡାର ଲଇକେରାରେ ସର୍ବାଧିକ ୧୦୪ ମିଲିମିଟର ବର୍ଷା ପ୍ରମାଣ ମିଳିଛି। ବର୍ତ୍ତମାନ ପାଗର ଅସ୍ଥିରତା କାରଣରୁ କେବେ ମେଘୁଆ ତାପରେ କେବେ ହଠାତ୍ ଝଡ ବର୍ଷା ଦେଖିବାକୁ ମିଳୁଛି, ଯାହାର ପ୍ରଭାବରେ ଗରମ ଓ ଖରାର ପ୍ରଭାବ କମିଛି। ଆଗାମୀ ଦୁଇ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ତଥାପି ପରବର୍ତ୍ତୀ ସମୟରେ ବର୍ଷା କମିବା ସହ ପୁଣି ୫ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୩୬.୬ ଡିଗ୍ରୀ ସେଲସିଅସ୍ ତାପମାତ୍ରା ଚାନ୍ଦବାଲିରେ ରେକର୍ଡ ହୋଇଛି।