ନୂଆଦିଲ୍ଲୀ: ଆମେରିକା ଓ ଇସ୍ରାଏଲ୍ର ଆକ୍ରମଣ ସହିତ ମଧ୍ୟପ୍ରାଚ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମିନୀଙ୍କୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଯୁଦ୍ଧ ସମୟରେ ଆହତ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି ବୋଲି ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନଙ୍କ ପୁଅ ୟୁସେଫ୍ ପେଜେସକିଆନ ସୂଚନା ଦେଇଛନ୍ତି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମିନୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତାବା ଖାମିନୀଙ୍କୁ ଦେଶର ନୂଆ ସର୍ବୋଚ୍ଚ ନେତା ଭାବେ ଚୟନ କରାଯାଇଥିଲା। କିନ୍ତୁ ଦାୟିତ୍ୱ ଗ୍ରହଣ ପରଠାରୁ ସେ ସାର୍ବଜନୀନ ଭାବେ ନଜର ନ ଆସିଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଚାଲିଥିଲା।
ଏହି ସମସ୍ତ ଅଟକଳକୁ ଶେଷ କରି ରାଷ୍ଟ୍ରପତିଙ୍କ ପୁଅ ୟୁସେଫ୍ ପେଜେସକିଆନ ନିଜ ଟେଲିଗ୍ରାମ୍ ଆକାଉଣ୍ଟରେ ଲେଖିଛନ୍ତି, “ମୋଜତାବା ଖାମିନୀ ଆହତ ହୋଇଥିବା ଖବର ମିଳିବା ପରେ ମୁଁ କିଛି ସମ୍ପର୍କୀୟ ଓ ପରିଚିତଙ୍କ ସହ କଥା ହୋଇଥିଲି। ସେମାନେ କହିଥିଲେ ଯେ ଭଗବାନଙ୍କ କୃପାରୁ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି।” ଏହା ପୂର୍ବରୁ ଇରାନର ରାଷ୍ଟ୍ରୀୟ ଗଣମାଧ୍ୟମ ମୋଜତାବାଙ୍କୁ “ରମଜାନ ଯୁଦ୍ଧର ଜଣେ ଆହତ ଯୋଦ୍ଧା” ବୋଲି ବର୍ଣ୍ଣନା କରିଥିଲେ। କିନ୍ତୁ ତାଙ୍କ ଆଘାତ ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଆଯାଇନଥିଲା।
ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୋଜତାବା ଖାମିନୀଙ୍କ ଗୋଡ଼ ସହିତ ଶରୀରର କେତେକ ସ୍ଥାନରେ ଆଘାତ ଲାଗିଛି। ବର୍ତ୍ତମାନ ସେ ଏକ ଅତ୍ୟନ୍ତ ସୁରକ୍ଷିତ ଓ ଗୁପ୍ତ ସ୍ଥାନରେ ଆଶ୍ରୟ ନେଇଛନ୍ତି ଏବଂ ସୁରକ୍ଷା କାରଣରୁ ତାଙ୍କର ଯୋଗାଯୋଗ ବ୍ୟବସ୍ଥାକୁ ସୀମିତ ରଖାଯାଇଛି। ସୂଚନାଯୋଗ୍ୟ ଯେ, ଚଳିତ ମାସ ଆରମ୍ଭରେ ଇରାନର ‘ଆସେମ୍ବ୍ଲି ଅଫ୍ ଏକ୍ସପର୍ଟ୍ସ’ ମୋଜତାବା ଖାମିନୀଙ୍କୁ ଦେଶର ନୂଆ ସୁପ୍ରିମ ଲିଡର ଭାବେ ଚୟନ କରିଥିଲା। ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନର ଇତିହାସରେ ଏହା ପ୍ରଥମ ଥର ଯେ, ଜଣେ ପିତା ପରେ ତାଙ୍କ ପୁଅ ସର୍ବୋଚ୍ଚ ନେତା ପଦବୀ ଅଳଙ୍କୃତ କରିଛନ୍ତି।