ଟି-୨୦ ବିଶ୍ୱକପ୍ ୨୦୨୬ ଶେଷ ପରେ ୨୦୨୮ ବିଶ୍ୱକପ୍ ଉପରେ ସମସ୍ତଙ୍କ ନଜର

ପ୍ରାୟ ଗୋଟିଏ ମାସ ଧରି ଚାଲିଥିବା ଟି-୨୦ ବିଶ୍ଵକପ୍ ୨୦୨୬ ଶେଷ ହୋଇଛି। ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ପୁଣିଥରେ ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିଛି। ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ଏବେ ଭକ୍ତମାନଙ୍କ ମନରେ ପ୍ରଶ୍ନ ଉଠିଛି—ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ହେବ, କେଉଁଠି ଖେଳାଯିବ ଏବଂ କେତେ ଦଳ ଏଥିରେ ଅଂଶଗ୍ରହଣ କରିବେ।

ସାଧାରଣତଃ ICC ପ୍ରତି ଦୁଇ ବର୍ଷରେ ଥରେ ଟି-୨୦ ବିଶ୍ୱକପ୍ ଆୟୋଜନ କରେ। ୨୦୨୪ ପରେ ୨୦୨୬ରେ ଏହା ଆୟୋଜିତ ହୋଇଥିଲା। ଏବେ ପରବର୍ତ୍ତୀ ସଂସ୍କରଣ ୨୦୨୮ ମସିହାରେ ହେବ। ପରବର୍ତ୍ତୀ ଟି-୨୦ ବିଶ୍ଵକପ୍ ୨୦୨୮ କୁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମିଳିତ ଭାବରେ ଆୟୋଜନ କରିବେ। ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବରରୁ ନଭେମ୍ବର ୨୦୨୮ ମଧ୍ୟରେ ଖେଳାଯିବାର ଆଶା କରାଯାଉଛି, ଯଦିଓ ଆଧିକାରିକ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ।

୨୦୨୬ ପରି ୨୦୨୮ ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବେ। ଆୟୋଜକ ଭାବରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡର ସ୍ଥାନ ପୂର୍ବରୁ ନିଶ୍ଚିତ। ଏହା ସହ ୨୦୨୬ ବିଶ୍ୱକପ୍‌ର ସୁପର ୮ରେ ପହଞ୍ଚିଥିବା କିଛି ଦଳ ମଧ୍ୟ ସ୍ଥାନ ସୁରକ୍ଷିତ କରିଛନ୍ତି। ସେଥିରେ ଭାରତ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଅଛନ୍ତି । ରାଙ୍କିଙ୍ଗ ଆଧାରରେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ଆୟର୍ଲାଣ୍ଡ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ। ବାକି ସ୍ଥାନଗୁଡ଼ିକ ପାଇଁ ଆଞ୍ଚଳିକ କ୍ୱାଲିଫାୟର୍ ମାଧ୍ୟମରେ ଟିମ୍‌ମାନେ ପ୍ରତିସ୍ପର୍ଦ୍ଧା କରିବେ। ଏହି ଯୋଗ୍ୟତା ପର୍ଯ୍ୟାୟଗୁଡ଼ିକ ଆଗାମୀ ସମୟରେ ଆରମ୍ଭ ହେବ ଓ ସେଠାରୁ ଆଉ କିଛି ଦଳ ୨୦୨୮ ବିଶ୍ୱକପ୍‌ରେ ସ୍ଥାନ ନିଶ୍ଚିତ କରିବେ।