ଲକ୍ଷ୍ମୀନୃସିଂହ ମନ୍ଦିରରେ ସାମା ଚାଚାଙ୍କ ଭଜନ ସମାରୋହ

ପବିତ୍ର ହୋଲି ପର୍ବ ଅବସରରେ କଟକ ଜିଲ୍ଲା କାଳିକାପୁର ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ଏକ ଭବ୍ୟ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାଳିକାପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା ଖଡ଼ଗପୁର ସ୍ଥିତ ଆଇ.ଆଇ.ଟିର ବର୍ତ୍ତମାନର ଡିମ୍ ଅରବିନ୍ଦ ରାଉତରାୟ, ଯିଏକି ଉକ୍ତ ଲକ୍ଷ୍ମୀ ନୃସିଂହ ମନ୍ଦିରର ପ୍ରତିଷ୍ଠାତା, ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମଟି ମହା ସମାରୋହରେ ପାଳିତ ହୋଇଥିଲା। ପ୍ରହରାଜପୁର ଗ୍ରାମର ଆଜନ୍ମ ଦୃଷ୍ଟି ବାଧିତ କଣ୍ଠଶିଳ୍ପୀ ଅବଦୁଲ ସମଦ ନିଜାମୀ ବା ସାମ ଚାଚା, ଯିଏ ଓଡ଼ିଶାର ପୁରପଲ୍ଲୀରେ ଦ୍ୱିତୀୟ ସାଲବେଗ ଭାବରେ ଜଣାଶୁଣା, ସିଏ ଥିଲେ ଭଜନ ସମାରୋହ ର ମୁଖ୍ୟ ଆକର୍ଷଣ। ତାଙ୍କ ଦ୍ବାରା ପରିବେଷଣ କରାଯାଇଥିବା, ପୁରାତନ ରଚନାର ଜଗନ୍ନାଥ ଜଣାଣ ଏବଂ କୃଷ୍ଣ ଭଜନ,ବେଶ କିଛି ସମୟ ଧରି ଉପସ୍ଥିତ ଶ୍ରୋତା ମଣ୍ଡଳୀଙ୍କୁ ମନ୍ତ୍ର ମୁଗ୍ଧ ତଥା ଭାବ ବିହ୍ୱଳ କରି ଦେଇଥିଲା।

ଗାଦିବ୍ରହ୍ମ ମହାବିଦ୍ୟାଳୟ କାଦୁଆ ପଡାର ଅଧ୍ୟାପକ ତଥା ବିଶିଷ୍ଟ ବକ୍ତା ଆଇଜାକ୍ ମହାନ୍ତିଙ୍କ ସଂଯୋଜନାରେ ଏବଂ ସାମ ଚଚାଙ୍କ ମାର୍ଗ ଦର୍ଶକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ସ୍ତମ୍ଭକାର ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ଙ୍କ ସହାୟତାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି ଉତ୍ସବରେ ସୁଦୁର ବାଙ୍ଗାଲୋର ର ପ୍ରାଧ୍ୟାପକ  ହରପ୍ରସାଦ କର ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ରଶ୍ମି କର ବିଶିଷ୍ଟ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ମନ୍ଦିରର ପୂଜକ ଶ୍ରୀଯୁକ୍ତ ନୃସିଂହନାଥ ଶତପଥୀ ଙ୍କ ଭାବଭରା ପୂଜାର୍ଚ୍ଚନା ଏବଂ ମନ୍ଦିର ପରିସରର ପରିଚ୍ଛନ୍ନତା, ସମସ୍ତଙ୍କୁ ବେଶ୍ ଆକୃଷ୍ଟ କରି ପାରିଥିଲା। ମନ୍ଦିରର ଇଷ୍ଟେଟ ମ୍ୟାନେଜର ସୁକାନ୍ତ ମଲ୍ଲିକ  ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନା କରୁଥିଲେ। ଦର୍ଶକ ମାନେ ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ଏବଂ ଦୃଷ୍ଟି ବାଧିତ କଣ୍ଠଶିଳ୍ପୀ ଓ ପ୍ରାୟୋଜକ ଙ୍କ ଭୂୟସୀ ପ୍ରଶଂସା କରିଥିଲେ। ସର୍ବଶେଷରେ ସମସ୍ତ ଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥିଲା।