ଇରାନ ଉପରେ ଆକ୍ରମଣ ପରେ ଇସ୍ରାଏଲର ବାୟୁସୀମା ବନ୍ଦ; ଏୟାର ଇଣ୍ଡିଆ ବିମାନ ଅଧାରୁ ଫେରିଲା

ନୂଆଦିଲ୍ଲୀ/ମଧ୍ୟ ପ୍ରାଚ୍ୟ: ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ ପରେ ମଧ୍ୟ ପ୍ରାଚ୍ୟରେ ସ୍ଥିତି ସଙ୍କଟଜନକ ହୋଇପଡ଼ିଛି। ଏହା ପରିପ୍ରେକ୍ଷିତରେ ଇସ୍ରାଏଲ ନିଜ ବାୟୁସୀମା ବନ୍ଦ କରିଦେଇଛି। ଫଳରେ ଦିଲ୍ଲୀରୁ ତେଲ ଅଭିଭ୍‌ ଯାଉଥିବା ଏୟାର ଇଣ୍ଡିଆର ବିମାନ ମଝି ଆକାଶରୁ ଫେରିବାକୁ ବାଧ୍ୟ ହୋଇଛି।ସୂଚନା ଅନୁଯାୟୀ, ଇସ୍ରାଏଲ ସମସ୍ତ ବିମାନବନ୍ଦର ସାମୟିକ ଭାବେ ବନ୍ଦ ରଖିଛି। ଏପରିକି ଇରାନ ମଧ୍ୟ ନିଜ ବାୟୁସୀମା ବନ୍ଦ କରିଛି। ଦୁଇ ଦେଶର ଆକାଶମାର୍ଗ ବନ୍ଦ ହେବାରୁ ଆନ୍ତର୍ଜାତୀୟ ବିମାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଇଣ୍ଡିଗୋ ପକ୍ଷରୁ ମଧ୍ୟ ସ୍ଥିତି ଉପରେ ନଜର ରଖାଯାଇଥିବା କୁହାଯାଇଛି। ଏହି ଅସ୍ଥିର ପରିସ୍ଥିତି ମଧ୍ୟରେ ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ପରାମର୍ଶ ଜାରି କରି ପଶ୍ଚିମ ଏସିଆକୁ ଯାଉଥିବା ବିମାନ ସେବାରେ ବାଧା ସୃଷ୍ଟି ହୋଇପାରେ ବୋଲି ସଚେତନ କରାଯାଇଛି।

ସତର୍କତାମୂଳକ ପଦକ୍ଷେପ ଭାବେ କତାର ସମସ୍ତ ବିମାନ ଚଳାଚଳ ବନ୍ଦ କରିଛି। ଜର୍ମାନ ଏୟାରଲାଇନ୍ସ ଲୁଫ୍ଥାନ୍ସା ମାର୍ଚ୍ଚ ୭ ପର୍ଯ୍ୟନ୍ତ ତେଲ ଅଭିଭ୍‌, ବିରୁଟ୍‌ ଓ ଅମ୍ମାନକୁ ବିମାନ ସେବା ବନ୍ଦ ରଖିଛି। ଓମାନ ବାଗଦାଦକୁ ସାମୟିକ ଭାବେ ବିମାନ ସେବା ବନ୍ଦ କରିଛି। ଫ୍ଲାଏଦୁବାଇ ପକ୍ଷରୁ କୁହାଯାଇଛି ଯେ, ଇରାକ, ଇରାନ ଓ ଇସ୍ରାଏଲ ଆକାଶମାର୍ଗ ବନ୍ଦ ରଖିଥିବାରୁ ସେମାନଙ୍କ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଏହା ସହ ରୁଷ୍ ଓ ଫ୍ରାନ୍ସ ମଧ୍ୟ ଇସ୍ରାଏଲ ଓ ଇରାନକୁ ବିମାନ ସେବା ବନ୍ଦ ରଖିଛନ୍ତି। ଇରାକର ଏରବିଲ୍‌ ବିମାନବନ୍ଦର ସମସ୍ତ ବିମାନ ଚଳାଚଳ ବନ୍ଦ ରଖିଥିବା କଥା ଇରାକ ଷ୍ଟେଟ୍‌ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି। ସମଗ୍ର ମଧ୍ୟ ପ୍ରାଚ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରହିଛି ଓ ଆନ୍ତର୍ଜାତୀୟ ବିମାନ ସେବାରେ ଆହୁରି ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି।