ଭୁବନେଶ୍ୱର-କଟକ ଟ୍ବିନ୍ ସିଟିରେ ଘଡ଼ଘଡ଼ି ସହ ବର୍ଷା ହେବାକୁ ନେଇ ୩ ଘଣ୍ଟିଆ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା କିଛି ଘଣ୍ଟା ମଧ୍ୟରେ ବିଜୁଳି, ଘଡଘଡି ସହ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ ଜିଲ୍ଲାକୁ ମଧ୍ୟ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଗଜପତି, ରାୟଗଡ଼ା, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ପାଇଁ ମଧ୍ୟ ସତର୍କତା ସୂଚନା ପ୍ରକାଶ ପାଇଛି। ବିଶେଷକରି ବିଜୁଳି ପାତ ଓ ଝଡ଼ ବାତାସର ସମ୍ଭାବନା ଥିବାରୁ ଖୋଲା ଜାଗାରେ ନ ରହିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।
ସେପଟେ ଗତକାଲି ସନ୍ଧ୍ୟାରୁ ଘଡ଼ଘଡ଼ି ସହ ଝିପିଝିପି ବର୍ଷାରେ ଭିଜୁଛି କୋରାପୁଟ ସହର। ଜିଲ୍ଲାର ଜୟପୁର, ପଟାଙ୍ଗି, ସିମିଳିଗୁଡା ଓ ନନ୍ଦପୁର ଅଞ୍ଚଳରେ ମଧ୍ୟ ବର୍ଷା ହେଉଛି। ସୁବର୍ଣ୍ଣପୁର ଜିଲ୍ଲାର ବିନିକାରେ କାଳବୈଶାଖୀ ତାଣ୍ଡବ ଦେଖାଯାଇଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ସହ ଘରର ଆଜବେଷ୍ଟସ ଉଡ଼ିଯାଇଛି। ବରଗଡ଼ ଜିଲ୍ଲାର କେତେକ ଅଞ୍ଚଳରେ ହଠାତ୍ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଏଥିରେ ବ୍ୟାପକ ଧାନ, ପନିପରିବା ଓ ରବି ଫସଲ କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି। ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ଚିନ୍ତାରେ ପଡ଼ିଥିବା ବେଳେ ସାଧାରଣ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ମନା କରାଯାଇଛି ଓ ବିଜୁଳି ପାତ ସମୟରେ ଗଛ ତଳେ ଆଶ୍ରୟ ନ ନେବାକୁ ସତର୍କ କରାଯାଇଛି।