ମାନବ ସେବା ହିଁ ମାଧବ ସେବା ଏହି ସନ୍ଦେଶକୁ ନେଇ ରକ୍ତଦାନ ଶିବିର

ଗ୍ରାମାଞ୍ଚଳରେ ରକ୍ତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ମାନବ ସେବାର ମହାତ୍ମ୍ୟ ପ୍ରଚାର ପାଇଁ କୋଣାର୍କ ମିଡ଼ିଆ ଫୋରମ ପକ୍ଷରୁ ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ କୁରୁଜଙ୍ଗ ବିକାଶ ମଞ୍ଚ ସହାୟତାରେ କୁରୁଜଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଥମ କରି ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମାଞ୍ଚଳର ଲୋକମାନଙ୍କୁ ରକ୍ତଦାନର ଆବଶ୍ୟକତା, ଲାଭ ଓ ଭ୍ରାନ୍ତିଧାରଣା ବିଷୟରେ ସଠିକ ତଥ୍ୟ ଜଣାଇବା।

ଆୟୋଜକମାନଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଦୁର୍ଘଟଣା, ଜରୁରୀ ଚିକିତ୍ସା ଓ ଅପରେଶନ ସମୟରେ ରକ୍ତର ଅଭାବ ଅନେକ ଜୀବନ ପାଇଁ ବିପଦ ସୃଷ୍ଟି କରେ। ଏହିପରି ପରିସ୍ଥିତିରେ ସ୍ୱ-ଇଚ୍ଛାମୂଳକ ରକ୍ତଦାନ ହିଁ ଅନେକ ଅମୂଲ୍ୟ ଜୀବନକୁ ରକ୍ଷା କରିପାରେ। ମାନବ ସେବା ହିଁ ମାଧବ ସେବା ଏହି ସନ୍ଦେଶକୁ ନେଇ ଆୟୋଜିତ ଏହି ମେଗା ରକ୍ତଦାନ ଶିବିର କୁରୁଜଙ୍ଗ ଅଞ୍ଚଳରେ ଏକ ସ୍ମରଣୀୟ ଅଧ୍ୟାୟ ରଚିଛି।