ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ରତ୍ନଭଣ୍ଡାର ବୈଠକ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି । ଗଣତି ମଣତି SOP ସମ୍ପର୍କରେ ବିସ୍ତୃତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । SOP ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ପ୍ରସ୍ତୁତ କରାଯାଇଛି । ସରକାରଙ୍କ ଅନୁମୋଦନ ପରେ ଗଣତି ମଣତି ଆରମ୍ଭ କରାଯିବ । ୧୯୭୮ ମସିହାର ତାଲିକା ସହିତ ମେଳକ କରାଯିବ । ସମ୍ପୂର୍ଣ୍ଣ ଅଳଙ୍କାର ଆଦିର ଫଟୋଗ୍ରାଫ ସହିତ ଡିଜିଟାଲ୍ କାଟାଲଗ୍ କରାଯିବ ।

ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ରତ୍ନଭଣ୍ଡାର ସମ୍ବନ୍ଧୀୟ ବୈଠକ ଆଜି ହୋଇଥିଲା। ବୈଠକ ଲୋକସେବା ଭବନର ତୃତୀୟ ମହଲାରେ ବସିଥିଲା। ବୈଠକରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଅହୁଜା ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ରତ୍ନଭଣ୍ଡାରର ଗଣତି-ମଣତି ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଏସଓପି (Standard Operating Procedure) ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ଏସଓପି ଉପରେ ବୈଠକରେ ମୋହର ଲାଗିପାରେ ବୋଲି ସୂଚନା ମିଳିଛି। ସରକାରଙ୍କ ଅନୁମୋଦନ ପରେ ରତ୍ନଭଣ୍ଡାର ଗଣନା କାର୍ଯ୍ୟ ଆରମ୍ଭ କରାଯିବ। କେବେ ଗଣତି-ମଣତି ହେବ, ସେନେଇ ତାରିଖ ମଧ୍ୟ ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ ବୋଲି ସରକାର ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। କିଛି ସମୟ ପୂର୍ବରୁ ଆଇନମନ୍ତ୍ରୀ ମଧ୍ୟ ଏହି ବିଷୟରେ ପୂର୍ବ ପ୍ରସ୍ତୁତି ବୈଠକ କରିଥିଲେ। ଏଥିସହ ଚଳିତ ବର୍ଷର ରଥଯାତ୍ରା ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଫାସି କାଠ ଓ ଚନ୍ଦନ କାଠର ବ୍ୟାପକ ଆବଶ୍ୟକତା ଥିବାରୁ ବନ ପ୍ରକଳ୍ପ ମାଧ୍ୟମରେ ଏହି ପ୍ରଜାତିର ଗଛ ଲଗାଇବାକୁ ପ୍ରସ୍ତାବ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ରତ୍ନଭଣ୍ଡାର ଗଣନା ଓ ରଥଯାତ୍ରା ପ୍ରସ୍ତୁତି—ଦୁଇଟି ମୁଖ୍ୟ ପ୍ରସଙ୍ଗକୁ ନେଇ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି।