ଆମେରିକୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ରୁଷର ପ୍ରତିବନ୍ଧ, ହ୍ୱାଟ୍ସଆପ୍-ୟୁଟ୍ୟୁବ୍-ଫେସବୁକ୍ ବ୍ୟାନ୍

ମସ୍କୋ: ଆମେରିକାର ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ରୁଷ ସରକାର ପ୍ରତିବନ୍ଧ କରିବା ଆରମ୍ଭ କରିଛି। ଟେଲିଗ୍ରାମକୁ ବ୍ୟାନ୍ କରିବା ପରେ ଏବେ ହ୍ୱାଟ୍ସଆପ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ଓ ଫେସବୁକ୍ ଭଳି ଆମେରିକୀୟ ସୋସିଆଲ ମିଡିଆ ଆପ୍‌ଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି। ଏହା ଫଳରେ ରୁଷର ନାଗରିକମାନେ ଏହି ଆପ୍‌ଗୁଡ଼ିକ ବ୍ୟବହାର କରିପାରିବେ ନାହିଁ। ବୁଧବାର ଦିନ ରୁଷ ଲୋକପ୍ରିୟ ମେସେଜିଂ ଆପ୍ ଟେଲିଗ୍ରାମକୁ ବ୍ୟାନ୍ କରିଥିଲା। ସରକାର ଚାହୁଁଛି ଯେ ଲୋକମାନେ ଆମେରିକୀୟ ପ୍ଲାଟଫର୍ମ ବ୍ୟବହାର ନକରି ସରକାରୀ ମାଲିକାନା ସୋସିଆଲ ମିଡିଆ ଓ ମେସେଜିଂ ସେବା ବ୍ୟବହାର କରନ୍ତୁ।

ସୁରକ୍ଷା ଓ ରାଷ୍ଟ୍ରୀୟ ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ମିଡିଆ ରିପୋର୍ଟ ଅନୁସାରେ, ପୁଟିନ୍ ସରକାର କେବଳ ସୋସିଆଲ ମିଡିଆ ନୁହେଁ, ଅନ୍ତର୍ଜାତୀୟ ମିଡିଆ ସଂଗଠନଗୁଡ଼ିକୁ ମଧ୍ୟ ପ୍ରତିବନ୍ଧ କରିଛି। ସେହିପରି ପ୍ରଭାବିତ ୱେବସାଇଟ୍‌ମାନଙ୍କ ମଧ୍ୟରେ ବିବିସି (BBC), ଡଏଚେ ୱେଲେ (Deutsche Welle), ରେଡିଓ ଫ୍ରି ଇଉରୋପ୍, ରେଡିଓ ଲିବର୍ଟି । ଏହା ସହିତ ବେନାମୀ ବ୍ରାଉଜିଂ ପାଇଁ ବ୍ୟବହୃତ ଟୋର୍ ବ୍ରାଉଜର‌କୁ ମଧ୍ୟ ବ୍ଲକ୍ କରାଯାଇଛି। ଏହି ପଦକ୍ଷେପ ରୁଷର ଡିଜିଟାଲ ନୀତିରେ ଏକ ବଡ଼ ପରିବର୍ତ୍ତନ ବୋଲି ମନେ କରାଯାଉଛି।