ଅସହ୍ୟ ଶୀତରେ ଥରୁଛି ସାରା ଓଡିଶା, ଶିମିଳିପାଳରେ ତାପମାତ୍ରା ୦

ବାରିପଦା: ଅସହ୍ୟ ଶୀତରେ ଥରୁଛି ସାରା ଓଡିଶା । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ଥଣ୍ଡାରେ ଥରୁଛି ଶିମିଳିପାଳ । ଶିମିଳିପାଳରେ ଚଳିତ ବର୍ଷ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଗତ ୪୮ଘଣ୍ଟା ମଧ୍ୟରେ ପାରଦ ୮ଡିଗ୍ରୀ ତଳକୁ ଖସି ଶୂନ ତାପମାତ୍ରାରେ ପହଞ୍ଚିଛି । ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଦିନତମାମ ଘଣ୍ଟାକୁ ୧୭କି.ମି ବେଗରେ ଉତ୍ତରା ପବନ ପ୍ରବାହିତ ହେଉଥିବାରୁ ହାଡଭଙ୍ଗା ଶୀତକଷ୍ଟ ଜିଲ୍ଲାତମାମ ଅନୁଭୂତ ହେଉଛି ।

ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ। ୨୩ ସହରର ପାରଦ ୧୦ ଡିଗ୍ରୀ ତଳେ ଥିବାବେଳେ ୩୮ସହରରେ ୧୨ ଡିଗ୍ରୀ ତଳେ ତାପମାତ୍ରା ରହିଛି। ଜି. ଉଦୟଗିରି ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଥିବାବେଳେ ଏଠାରେ ତାପମାତ୍ରା ୩ ଡିଗ୍ରୀ ରହିଛି। ସେହିପରି ସେମିଳିଗୁଡ଼ାରେ ୪.୧ ଡିଗ୍ରୀ, ଫୁଲବାଣୀ ୫ ଡିଗ୍ରୀ, ରାଉରକେଲାରେ ୫.୧ ଡିଗ୍ରୀ, ଝାରସୁଗୁଡ଼ାରେ ୫.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ, କିରୋଇରେ ୭.୪ ଡିଗ୍ରୀ, କେନ୍ଦୁଝରରେ ୭.୬ ଡିଗ୍ରୀ, ଚିପିଲିମାରେ ୭.୭ ଡିଗ୍ରୀ, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ତାପମାତ୍ରା ୭.୮ ଡିଗ୍ରୀ ରହିଛି। ଅନୁଗୋଳରେ ତାପମାତ୍ରା ୮ ଡିଗ୍ରୀ ଥିବାବେଳେ କୋରାପୁଟ ଓ ବଲାଙ୍ଗୀରରେ ୮.୫ ଡିଗ୍ରୀ ରହିଛି। ବାରିପଦା ଓ ଢେଙ୍କାନାଳ ୮.୬ ଡିଗ୍ରୀ, ରାଣୀତାଲରେ ୮.୮ ଡିଗ୍ରୀ, ନବରଙ୍ଗପୁର ୯.୫ ଡିଗ୍ରୀ ରହିଛି। ସେହିପରି କଟକ ଓ ସୋନପୁରରେ ୯.୬ ଡିଗ୍ରୀ ତାପମାତ୍ରା ଥିବାବେଳେ ବାଲେଶ୍ବରରେ ୯.୮, ସମ୍ବଲପୁରରେ ୯.୯ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରିହଛି।