ଧର୍ମଶାଳା ତୃତୀୟ ଟି ଟ୍ବେଣ୍ଟି: ଭାରତ ଆଗରେ ୧୧୮ ରନ୍‌ର ଟାର୍ଗେଟ୍

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ୟ ଟ୍ବେଣ୍ଟି ଟ୍ବେଣ୍ଟି ମୁକାବିଲାରେ ଦମଦାର ବୋଲିଂ କରିଛନ୍ତି ଭାରତୀୟ ବୋଲର । ଆରମ୍ଭରୁ ସାଉଥ ଆଫ୍ରିକା ଉପରେ ଭାରି ପଡିଥିଲେ ଟିମ୍ ଇଣ୍ଡିଆ ବୋଲର । ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଥିଲା ଭ୍ରମଣକାରୀ ଦଳ । ଏଡେନ୍ ମାର୍କରମଙ୍କ ଦର୍ଶନୀୟ ଅର୍ଦ୍ଧଶତକ କାରଣରୁ ଦଳ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଛି । ନିର୍ଦ୍ଧାରିତ ଓଭରରେ ଦକ୍ଷିଣ ଆଫ୍ରିକା ସମସ୍ତ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୧୭ ରନ୍ । ଏକମାତ୍ର ବ୍ୟାଟର ଭାବେ ଏଡେନ୍ ମାର୍କରମ ଅର୍ଦ୍ଧଶତକୀୟ ଇନିଂସ ଖେଳିବାକୁ ସକ୍ଷମ ହୋଇଥିଲେ । ଭାରତକୁ ଜିତିବାକୁ ହେଲେ ୧୧୮ ରନ୍ କରିବାକୁ ପଡିବ ।

ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦକ୍ଷିଣ ଆଫ୍ରିକା । କ୍ବିଣ୍ଟନ ଡି କକ୍ ମାତ୍ର ୧ ରନ୍ କରି ଆଉଟ ହୋଇଥିବା ବେଳେ ରିଜା ହେଣ୍ଡରିକ୍ସ ଖାତା ବି ଖୋଲି ପାରିନଥିଲେ । ପରେ ପରେ ଡିଓ୍ବାଲ୍ଡ ବ୍ରେଭିସ୍ ମାତ୍ର ୨ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ମାତ୍ର ୭ ରନ୍ କରି ଦଳ ୩ଟି ଓ୍ବିକେଟ ହରାଇ ସଂଗ୍ରର୍ଷ କରୁଥିବା ବେଳେ ପାଳି ସମ୍ଭାଳିଥିଲେ ନିଜେ ଅଧିନାୟକ ଏଡେନ୍ ମାର୍କରମ । ୪୬ ବଲ ଖେଳି ୬ ଚୌକା ଏବଂ ଦୁଇଟି ଚୌକା ସହାୟତାରେ ୬୧ ରନ୍ କରି ଆଉଟ ହୋଇଥିଲେ । ସେହିଭଳି ଟ୍ରିଷ୍ଟନ ଷ୍ଟବସ୍ ମାତ୍ର ୯ ରନ୍ କରି ଆଉଟ ହୋଇଥିବା ବେଳେ କୋରବିନ୍ ବୋଚ୍ ୪ ରନ୍, ଡୋନୋବାନ୍ ଫେରେରିଆ ୨୦ ରନ, ମାର୍କୋ ଜନସେନ୍ ୨ ରନ କରି ଆଉଟ ହୋଇଥିଲେ । ଏନରିଚ୍ ନୋର୍କିୟା ୧୨ ରନ, ଓଟନିଏଲ ବାର୍ଟମାନ ୧ ରନ୍ କରି ଆଉଟ ହୋଇଥଇଲେ । ଲୁଙ୍ଗି ଏନଗିଡି ୨ ରନ୍ କରି ନଉଆଉଟ ଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ଅର୍ଶଦୀପ ୪ ଓଭରରେ ୧୩ ରନ୍ ଦେଇ ୨ ଓ୍ବିକେଟ ନେଇଥିଲେ ବି ଅଧିକ ରନ୍ ବ୍ୟୟ କରିନଥିଲେ । ସେହିଭଳି ହର୍ଷିତ ରାଣା ୪ ଓଭରରେ ୩୪ ରନ ୨ ଓ୍ବିକେଟ, ହାର୍ଦ୍ଦିକ ପାଣ୍ଡ୍ୟା ୩ ଓଭରରେ ୨୩ ରନ୍ ୧ ଓ୍ବିକେଟ, ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୧୧ ରନ ୨ ଓ୍ବିକେଟ, ଶିବମ ଦୁବେ ୩ ଓଭରରେ ୨୧ ରନ୍ ୧ ଓ୍ବିକେଟ ଏବଂ କୁଲଦୀପ ଯାଦବ ୨ ଓଭରରେ ୧୨ ରନ୍ ଦେଇ ୨ଟି ସଫଳତା ହାସଲ କରିଥିଲେ ।