୧୦୦ ବର୍ଷରେ ପଦାର୍ପଣ କଲେ ପ୍ରଫେସର ଡା. ଲକ୍ଷ୍ମୀ ବାଇ, ଏମ୍ସକୁ ଦେଲେ ନିଜ ଜୀବନର ପୁଞ୍ଜି

ବ୍ରହ୍ମପୁର: ୧୦୦ ବର୍ଷରେ ପଦାର୍ପଣ କଲେ ପ୍ରଫେସର ଡା. ଲକ୍ଷ୍ମୀ ବାଇ । ଜନ୍ମଦିନରେ ଭୁବନେଶ୍ବର ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଛନ୍ତି ଲକ୍ଷ୍ମୀ ବାଇ । ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇ ପତ୍ର ପଠାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜସ୍ବ ଆୟରୁ ଭୁବନେଶ୍ବର ଏମ୍ସକୁ ଦାନ ପାଇଁ ବଧେଇ ଜଣାଇଲେ । ବାସଭବନ ଯାଇ ଶୁଭେଚ୍ଛା ଜଣାଇଲେ ଏମ୍ସ କର୍ତ୍ତୃପକ୍ଷ । ଏମ୍ସରେ ଏହାକୁ କର୍ପସ୍‌ ଫଣ୍ଡ ଭାବେ ବ୍ୟବହାର କରାଯିବ ବୋଲି କହିଛନ୍ତି କତ୍ତୃପକ୍ଷ । ଏଥିସହ ଶୁଭେଚ୍ଛା ଜଣାଇଲେ ବହୁ ରାଜନେତା, ବନ୍ଧୁ ଓ ଶୁଭେଚ୍ଛୁ । ତେବେ ଶହେ ତମ ଜନ୍ମଦିନକୁ ସ୍ମରଣୀୟ କରିବାକୁ ଜୀବନବ୍ୟାପି ସଞ୍ଚିତ ପୁଞ୍ଜି ସ୍ୱାସ୍ଥ୍ୟ ସେବାର ବିକାଶରେ ବିନିଯୋଗ କରିଥିଲେ ଡା. ଲକ୍ଷ୍ମୀବାଇ । ଶତବାର୍ଷିକୀ ପାଳନ ଅବସରରେ ସେ ଭୁବନେଶ୍ୱର ଏମ୍‌ସକୁ ୩ କୋଟି ୪୦ ଲକ୍ଷ ଟଙ୍କା ଦେଇଛନ୍ତି । ଏଥିପାଇଁ ହସ୍ପିଟାଲ୍ ସହ ତାଙ୍କର ସମସ୍ତ ଆଲୋଚନା ସରିବା ପରେ କାଗଜପତ୍ର ମଧ୍ୟ ପ୍ରସ୍ତୁତ ହୋଇସରିଥିଲା ।

ପ୍ରଫେସର ଲକ୍ଷ୍ମୀ ବାଇ କଟକ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଥମ ବ୍ୟାଚ୍ ଏମ୍‌ବିବିଏସ୍ ଛାତ୍ରୀ । ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ଅବସର ନେବା ପରେ ବ୍ରହ୍ମପୁର ଭାବାନଗରସ୍ଥିତ ଘରେ ରହୁଛନ୍ତି । ଜୀବନବ୍ୟାପି ସଞ୍ଚିତ ଅର୍ଥକୁ ସ୍ୱାସ୍ଥ୍ୟସେବାରେ ଦାନ କରି ସେ ଅତ୍ୟନ୍ତ ଖୁସି । ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର କରିବାକୁ ଏହି ଟଙ୍କା ସେ ଭୁବନେଶ୍ୱର ଏମ୍‌ସକୁ ଦାନ କରିଥିବା କହିଛନ୍ତି । ତାଙ୍କର ଛାତ୍ରୀ ତଥା ଜଣାଶୁଣା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ପ୍ରଫେସର ପି. ଭାରତୀ ଓ ଡା. ଭାରତୀ ମିଶ୍ର ଏହି କାର୍ଯ୍ୟର ତଦାରଖ କରୁଛନ୍ତି । ସ୍ୱାସ୍ଥ୍ୟ ସେବା ପ୍ରତି ଗୁରୁଙ୍କ ବଦାନ୍ୟତା ଦେଖି ଉଭୟ ବେଶ ଖୁସି ହେବା ସହ ତାଙ୍କ ଆଦର୍ଶ ଅନେକଙ୍କୁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି । ୧୯୨୬ ଡିସେମ୍ବର ୫ରେ ଡା. ଲକ୍ଷ୍ମୀ ବାଇଙ୍କ ଜନ୍ମ । ୧୯୪୫ରୁ ୧୯୫୦ ମଧ୍ୟରେ ସେ ଏସ୍‌ସିବି ମେଡିକାଲ କଲେଜରେ ଏମ୍ବିବିଏସ୍ ପଢ଼ିବା ପରେ ୧୯୫୮ରେ ମାଡ୍ରାସ୍ ମେଡିକାଲ କଲେଜ ଡିଜିଓ ଆଣ୍ଡ୍ ଏମ୍ଡି ଇନ୍ ‘ଓ ଏଣ୍ଡ୍ ଜି’ ପଢ଼ିଥିଲେ । ୧୯୫୦ରେ ସୁନ୍ଦରଗଡ଼ ଜିଲ୍ଲା ହସ୍ପିଟାଲରୁ ଚାକରି ଜୀବନ ଆରମ୍ଭ କରି ୧୯୮୬ରେ ଏମ୍‌କେସିଜିରୁ ଅବସର ନେଇଥିଲେ । ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ଭାରତଜ୍ୟୋତି ଆୱାର୍ଡ, ଇଣ୍ଟରନ୍ୟାସ୍ନାଲ ଫ୍ରେଣ୍ଡସିପ୍ ସୋସାଇଟି ଆୱାର୍ଡ ଏବଂ ବେଷ୍ଟ୍ ସିଟିଜେନ୍ ଅଫ୍ ଇଣ୍ଡିଆ ଆୱାର୍ଡ ପାଇଛନ୍ତି।