RJDର ଶୋଚନୀୟ ପରାଜୟ ପରେ ଲାଲୁଙ୍କ ପରିବାରରେ ଅସନ୍ତୋଷ, ରାଜନୀତିରୁ ସନ୍ୟାସ ନେଲେ ରୋହିଣୀ

Rohini Acharya: RJDର ଶୋଚନୀୟ ପରାଜୟ ପରେ ଲାଲୁଙ୍କ ପରିବାରରେ ଅସନ୍ତୋଷ । ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଛାଡ଼ିଲେ ରାଜନୀତି । ଲାଲୁଙ୍କ ପରିବାର ସହ ମଧ୍ୟ ରୋହିଣୀ ସମ୍ପର୍କ ତୁଟାଇଥିବା ସୂଚନା । ଏନେଇ ରୋହିଣୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି “ମୁଁ ରାଜନୀତି ଛାଡ଼ି ଦେଉଛି ଏବଂ ମୁଁ ମୋ ପରିବାର ସହ ସମ୍ପର୍କ ତୁଟାଉଛି । ଏହା ହିଁ ସଞ୍ଜୟ ଯାଦବ ଏବଂ ରମିଜ ମୋତେ କରିବାକୁ କହିଥିଲେ ଏବଂ ମୁଁ ସମସ୍ତ ଦୋଷ ନେଉଛି ।”

ବିଧାନସଭା ନିର୍ବାଚନରେ ଆରଜେଡିର ହୋଇଥିଲା ବଡ଼ ବିପର୍ଯ୍ଯୟ। ଆରଜେଡିର ବିଦ୍ରୋହୀ ନେତା ସଞ୍ଜୟ ଯାଦବ ଓ ସ୍ବାମୀ ରମିଜ ଆଲାମଙ୍କ ପରାମର୍ଶରେ ନିଷ୍ପତ୍ତି ନେଇଥିବା କହିଲେ ରୋହିଣୀ। ରୋହିଣୀ ହେଉଛନ୍ତି ଜଣେ ଡାକ୍ତର। ସେ ୨୦୨୪ ଲୋକସଭା ନିର୍ବାଚନରେ ବିହାରର ସରନ ଲୋକସଭା ଆସନରୁ ଲଢ଼ି ବିଜେପିର ରାଜୀବ ପ୍ରତାପ ରୁଡୀଙ୍କଠାରୁ ହାରିଥିଲେ। କିଛି ଦିନ ତଳେ ବଡପୁଅ ତେଜ ପ୍ରତାପ ଯାଦବଙ୍କୁ ଦୂରେଇଥିଲେ ଲାଲୁ। ଏହା ସହ ତାଙ୍କୁ ଆରଜେଡିରୁ ବିଦା କରିଥିଲେ। ୨୦୨୨ରେ ବାପାଙ୍କୁ କିଡନୀ ଦାନ କରି ଚର୍ଚ୍ଚାରେ ଥିଲେ ରୋହିଣୀ।

ରୋହିଣୀ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ସଞ୍ଜୟ ଯାଦବଙ୍କ ଉପରେ ଗୁରୁତର ଅଭିଯୋଗ ଲଗାଇଛନ୍ତି। ସେ ଲେଖିଛନ୍ତି ଯେ ସଞ୍ଜୟ ଯାଦବ ଓ ରମିଜ ତାଙ୍କୁ ଏମିତି କରିବା ପାଇଁ କହିଛନ୍ତି। ସେ ଲେଖିଛନ୍ତି ଯେ ମୁଁ ସବୁ ଅଭିଯୋଗ ନିଜ ଉପରକୁ ନେଉଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ରୋହିଣୀ ପୂର୍ବରୁ କେବଳ ରାଜନୀତି ଛାଡିବା କଥା ଲେଖିଥିଲେ। କିନ୍ତୁ ପରେ ସେ ଏହାକୁ ଏଡିଟ୍ କରି ସଞ୍ଜୟ ଯାଦବ ଓ ରମିଜଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି। କହିରଖୁଛୁ ରୋହିଣୀଙ୍କ ସଞ୍ଜୟ ଯାଦବଙ୍କ ସହ ତିକ୍ତତା ଚାଲିଥିଲା। ଏହି ତିକ୍ତତା ବିହାର ଅଧିକାର ଯାତ୍ରାରେ ସ୍ପଷ୍ଟ ନଜର ଆସୁଛି। ପୂର୍ବରୁ ମଧ୍ୟ ରୋହିଣୀ ସେପ୍ଟେମ୍ବରରେ ଏକ୍ସରେ ପରିବାର ସମ୍ପର୍କରେ ଲେଖିଥିଲେ ଯେ ‘ମୁଁ ଝିଅ ଓ ଭଉଣୀ ରୂପେ ନିଜ କର୍ତ୍ତବ୍ୟ ଏବଂ ଧର୍ମ ପାଳନ କରିବି। ମୋତେ କୌଣସି ପଦ ପଦବୀର ଲାଳସା ନାହିଁ କିମ୍ବା ରାଜନୈତିକ ଇଛା ମଧ୍ୟ ନାହିଁ।  ମୋ ପାଇଁ ମୋ ଆତ୍ମସମ୍ମାନ ସବୁକିଛି।’ ତେବେ ଗତକାଲି ନିର୍ବାଚନ ଫଳାଫଳ ଆସିବା ପରେ ସେ ରାଜନୀତି ଓ ପରିବାରଠୁ ଦୂରେଇ ରହିବାକୁ ଚାହିଁଛନ୍ତି।