ହାଇଦ୍ରାବାଦ: ହସ୍ପିଟାଲରେ ଭର୍ତ୍ତି ବଲିଉଡ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ଲୋକେ ଚିନ୍ତିତ ହେବା ସହ ଅଭିନେତାଙ୍କ ଶୀଘ୍ର ସୁସ୍ଥତା କାମନା କରିଥିଲେ ।

ରିପୋର୍ଟ ଅନୁଯାୟୀ, ଏବେ ଅଭିନେତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଅଭିନେତାଙ୍କ ଟିମ୍ ସୂଚନା ଦେଇଛି । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିବା ପରେ, ତାଙ୍କର ଫ୍ୟାନ୍ସ ଆଶ୍ବସ୍ତ ହୋଇଛନ୍ତି । ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିୟମିତ ଭାବରେ କରାଯାଉଛି । ଏହା ପୂର୍ବରୁ ମଧ୍ୟ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଧର୍ମେନ୍ଦ୍ରଙ୍କୁ ୮୯ ବର୍ଷ ହେଲାଣି ଏବଂ ସେ ନିଜ ସ୍ବାସ୍ଥ୍ୟ ପ୍ରତି ବେଶ ଯତ୍ନବାନ ଅଛନ୍ତି । ବୟସ ସମ୍ପର୍କିତ ଜଟିଳତା ଯୋଗୁଁ ସେ ଚିକିତ୍ସା ପାଇଁ ଆମେରିକା ମଧ୍ୟ ଯାଇଥିଲେ। ଧର୍ମେନ୍ଦ୍ର ହିନ୍ଦୀ ସିନେମାର ଜଣେ ଲୋକପ୍ରିୟ ଅଭିନେତା ଏବଂ ପ୍ରଶଂସକମାନେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବହୁତ ଚିନ୍ତିତ।
![]()
ଅଭିନେତା ଜଣକ ଡିସେମ୍ବରରେ ତାଙ୍କର ୯୦ ତମ ଜନ୍ମଦିନ ପାଳନ କରିବେ। ସେ ଗତ କିଛି ବର୍ଷ ଧରି ସ୍ୱାସ୍ଥ୍ୟ ସମସ୍ୟା ସହିତ ଲଢ଼ୁଛନ୍ତି। ଗତ ଏପ୍ରିଲ ୨୦୨୫ରେ ତାଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ସେ ସୁସ୍ଥ ହୋଇଥିଲେ। ତେବେ ବୟସାଧିକ ସତ୍ତ୍ୱେ ସେ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ସକ୍ରିୟ ଅଛନ୍ତି। ତାଙ୍କୁ ଶେଷ ଥର ପାଇଁ ୨୦୨୪ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ “ତେରି ବାତୋ ମେଁ ଐସା ଉଲଜା ଜିୟା” ରେ ଦେଖିବାକୁ ମିଳିଥିଲା। ସେ ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ “ଇକିସ” ରେ ମଧ୍ୟ ନଜର ଆସିବେ। ଯେଉଁଥିରେ ଅଗସ୍ତ୍ୟ ନନ୍ଦ ଏବଂ ସିମର ଭାଟିଆ ଅଭିନୟ କରିଛନ୍ତି। ତେବେ ଏହି ଫିଲ୍ମଟି ଡିସେମ୍ବରରେ ମୁକ୍ତିଲାଭ କରିବ।