ବିରାଜିଛନ୍ତି ଗଜଲକ୍ଷ୍ମୀ, ଭୁବନେଶ୍ଵରଠୁ ଢେଙ୍କାନାଳ ସବୁଠି ଉତ୍ସବ ମୁଖର

ଭୂବନେଶ୍ଵର: ଚାଲିଛି ପାର୍ବଣ ଋତୁ । ଜଗତଜନନୀଙ୍କ ମା’ ଦୁର୍ଗାଙ୍କ ମେଲାଣି ପରେ ଧରାପୃଷ୍ଠକୁ ଧରାବତଣ କରିଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ । ଆଜି ଗଜଲକ୍ଷ୍ମୀ ପୂଜା । ଓଡିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ହେଉଛି ଗଜଲକ୍ଷ୍ମୀ ପୂଜା । ପଦ୍ମହସ୍ତା କମଳାଙ୍କୁ ସ୍ବାଗତ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର । ସୁଖ, ସମୃଦ୍ଧି, ସୌଭାଗ୍ୟ, ସୁଖ୍ୟାତି ଓ ଐଶ୍ବର୍ଯ୍ୟର ଭଣ୍ଡାର ନେଇ ବିରାଜିବ ମାଆ, ଲକ୍ଷ୍ମୀ । ଘଣ୍ଟ ଘଣ୍ଟା, ଶଙ୍ଖନାଦରେ କମ୍ପିବ ଗଗନ ପବନ ।ରାଜଧାନୀ ଭୁବନେଶ୍ବରଠୁ ନେଇ ଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳରେ ଜୋରଦାର ପ୍ରସ୍ତୁତି ହୋଇଛି ।

ମହାଲକ୍ଷ୍ମୀଙ୍କ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଛି ଢେଙ୍କାନାଳ । ଏହା ପଛରେ ଐତିହାସିକ କାରଣ ରହିଛି । ଢେଙ୍କାନାଳ ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ ବୈଷ୍ଣବ ମଠ ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ବୃନ୍ଦାବନ ମନ୍ଦିର, ବୃନ୍ଦାବନଚନ୍ଦ୍ର ମନ୍ଦିର, କପିଳାସର ନାରାୟଣ ମନ୍ଦିର, ନୃସିଂହ ଓ ଲକ୍ଷ୍ମୀମୂର୍ତ୍ତି ପ୍ରତିଷ୍ଠା, ଚୈତନ୍ୟଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କ ଦ୍ଵାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୂଜାର ପରମ୍ପରା ଏଠାରେ ଗଢିଉଠିଥିଲା । ପ୍ରଥମ ଥର ପାଇଁ ଢେଙ୍କାନାଳରେ ୧୯୨୩ ମସିହାରେ କୁଞ୍ଜସାହୁ ଛକ (ବର୍ତ୍ତମାନର ଗଣେଶ ବଜାର) ଠାରେ ପୂଜା ଆରମ୍ଭ ହୋଇଥିଲା ।

ଗତକାଲି ସନ୍ଧ୍ୟାରୁ ପୂଜା ଆରମ୍ଭ ହୋଇଛି। ପ୍ରଥମେ ମା’ଙ୍କ ମୁଖ ଖୋଲାଯାଇ ଚକ୍ଷୁଦାନ କରାଯିବ । ସକାଳୁ କଳସ ଯାତ୍ରା କରାଯାଇ କଳସକୁ ମଣ୍ଡପରେ ସ୍ଥାପନ କରାଯିବ । ଏହାପରେ ମା’ଙ୍କୁ ଆବାହନ କରାଯାଇ ମୁଖ ଖୋଲାଯାଇ ଚକ୍ଷୁ ଦାନ କରାଯିବ । ପରେ ଆଳତୀ ଓ ପୁଷ୍ପାଞ୍ଜଳି ଦିଆଯିବ। ଏହାପରେ ମା’ ଅନ୍ନପୂର୍ଣ୍ଣାଙ୍କ ପାଖରେ ବ୍ୟଞ୍ଜନ ଭୋଗ ଲାଗି ହୋଇଥାଏ । ଚଳିତ ବର୍ଷ କୋରୋନା କଟକଣା ମୁକ୍ତ ପୂଜା ହେଉଥିବାରୁ ପ୍ରବଳ ଜନସମାଗମ ହେବ । ଏନେଇ ପ୍ରଶାସନ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।