କରୁର ଦଳଚକଟା: ମୁହଁ ଖୋଲିଲେ TVK ମୁଖ୍ୟ ବିଜୟ

ଚେନ୍ନାଇ: ତାମିଲନାଡୁ କରୁର ଦଳଚକଟା ଘଟଣାରେ ମୁହଁ ଖୋଲିଲେ TVK ମୁଖ୍ୟ ବିଜୟ । ମୁଁ ମୋ ଜୀବନରେ ଏପରି ଦୁଃଖଦାୟକ ପରିସ୍ଥିତିର ସାମ୍ନା କେବେ କରିନାହିଁ ବୋଲି କହିଛନ୍ତି ବିଜୟ । ବିଜୟ କହିଛନ୍ତି, ଶୀଘ୍ର ପୀଡ଼ିତମାନଙ୍କୁ ଭେଟିବି, ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଉଛି । ଯାହା ହେବା ଉଚିତ ନ ଥିଲା, ତାହା ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ, ଦୟାକରି TVK କର୍ମୀମାନଙ୍କର କ୍ଷତି କରନ୍ତୁ ନାହିଁ । ମୋ ଘରକୁ କିମ୍ବା ଅଫିସକୁ ଆସି ମୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି କହିଛନ୍ତି TVK ମୁଖ୍ୟ ଥାଲାପଥି ବିଜୟ ।

ସୂଚନା ଅନୁସାରେ, ସାଉଥ୍ ସିନେମାର ବିଶିଷ୍ଟ ଅଭିନେତା ଥାଲାପଥି ବିଜୟଙ୍କ କରୁର ଠାରେ ଆୟୋଜିତ ରାଲିରେ ଭୟଙ୍କର ଦଳାଚକଟା ହୋଇଥିଲା । ଯେଉଁଥିରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିଲେ । ଏହି ମର୍ମନ୍ତୁଦ ଘଟଣା ପାଇଁ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ରାଜ୍ୟକୁ ବିସ୍ତୃତ ରିପୋର୍ଟ ମାଗିଥିଲା । ଏହାପରେ ଦଳାଚକଟାରେ ମୃତକ ଓ ଆହତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଥିଲେ ଅଭିନେତା ବିଜୟ । ବିଜୟ ମୃତକଙ୍କ ପରିବାରକୁ ପାର୍ଟି ପକ୍ଷରୁ ୨୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହା ସହିତ ଆହତଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ଅଭିନେତା ଘୋଷଣା କରିଛନ୍ତି । ଏହି ଆର୍ଥିକ ସହାୟତା ପରିବାରମାନଙ୍କର ଅପୂରଣୀୟ କ୍ଷତିର ଭରଣା ନୁହେଁ ବୋଲି ଅଭିନେତା କହିଛନ୍ତି ।