ନୂଆଦିଲ୍ଲୀ: ଭାରତ ଉପରେ ପୁଣି ଟାରିଫ୍ ବଢ଼ାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା । ଭାରତ ଭଲ ବ୍ୟବସାୟିକ ପାର୍ଟନର ନୁହେଁ, ତେଣୁ ୨୪ ଘଣ୍ଟାରେ ପୁଣି ବଢ଼ିବ ଟାରିଫ ବୋଲି ଭାରତକୁ ଧମକ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ଭାରତ ଉପରେ ୨୫% ଟାରିଫ୍ ଲଗାଇଛନ୍ତି ଟ୍ରମ୍ପ୍ । ତେବେ ଭାରତ ରୁଷିଆ ଠାରୁ ତୈଳ କିଣୁଥିବାରୁ ଖପ୍ପା ହୋଇଛନ୍ତି ଟ୍ରମ୍ପ୍ ।

ଟ୍ରମ୍ପ କହିଛନ୍ତି, ‘ଭାରତ ଏକ ଭଲ ବାଣିଜ୍ୟିକ ଅଂଶୀଦାର ନୁହେଁ କାରଣ ସେମାନେ ଆମ ସହିତ ବହୁତ ବାଣିଜ୍ୟ କରନ୍ତି, କିନ୍ତୁ ଆମେ ସେମାନଙ୍କ ସହିତ ଅଧିକ ବାଣିଜ୍ୟ କରୁନାହୁଁ। ତେଣୁ ଆମେ ୨୫ ପ୍ରତିଶତ ଶୁଳ୍କ ଉପରେ ରାଜି ହୋଇଥିଲୁ, କିନ୍ତୁ ମୁଁ ଭାବୁଛି ମୁଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହାକୁ ବହୁତ ବୃଦ୍ଧି କରିବି କାରଣ ସେମାନେ ରୁଷଠାରୁ ତେଲ କିଣୁଛନ୍ତି।’ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଭାରତ ରୁଷରୁ ତେଲ କିଣୁଛି ଏବଂ ଲାଭରେ ବିକ୍ରି କରୁଛି। ଟ୍ରମ୍ପଙ୍କ ଏହି ବୟାନ ଉପରେ ଭାରତ ଅଶୋଧିତ ତେଲ ରପ୍ତାନି ସମ୍ପର୍କରେ ଆମେରିକା ଏବଂ ୟୁରୋପୀୟ ସଂଘକୁ ସମାଲୋଚନା କରିଥିଲା।

ସେପଟେ ବୈଦେଶିକ ମନ୍ତ୍ରଣାଳୟ କହିଛି, ‘ବିଶ୍ୱ ବଜାର ପରିସ୍ଥିତି ଯୋଗୁଁ ଭାରତର ଆମଦାନି ଏକ ଆବଶ୍ୟକତା ଅଟେ। ଏହାକୁ ସମାଲୋଚନା କରୁଥିବା ଦେଶମାନେ ନିଜେ ରୁଷ ସହିତ ବାଣିଜ୍ୟ କରନ୍ତି, କିନ୍ତୁ ଏପରି ବାଣିଜ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ବାଧ୍ୟବାଧକତା ମଧ୍ୟ ନୁହେଁ।’ ସରକାରୀ ବିବୃତ୍ତିରେ କୁହାଯାଇଛି, ‘ୟୁରୋପ-ରୁଷ ବାଣିଜ୍ୟରେ କେବଳ ଶକ୍ତି ନୁହେଁ, ବରଂ ସାର, ଖଣି ଉତ୍ପାଦ, ରାସାୟନିକ ପଦାର୍ଥ, ଲୁହା ଏବଂ ଇସ୍ପାତ ଏବଂ ଯନ୍ତ୍ରପାତି ଏବଂ ପରିବହନ ଉପକରଣ ମଧ୍ୟ ଅନ୍ତର୍ଭୁକ୍ତ।’