କଂଗ୍ରେସ ଦଳ ସଂସଦ ଘେରାଉ କରି ବାଲେଶ୍ୱର ଘଟଣାରେ ନ୍ୟାୟ ଦାବି କରିବ

ବାଲେଶ୍ୱର-: ବାଲେଶ୍ୱର ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁରେ ସାରା ରାଜ୍ୟରେ ଆଲୋଚନା ଜୋର ଧରିଛି । ଏହି ଘଟଣାରେ ନ୍ୟାୟ ଦାବି କରି ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ବଡ଼ ଘୋଷଣା କରିଛନ୍ତି । କଂଗ୍ରେସ ଆସନ୍ତକାଲି ଅର୍ଥାତ ଗୁରୁବାର ଓଡ଼ିଶା ବନ୍ଦ କରୁଥିବାବେଳେ ଆଗାମୀ ଦିନରେ ସଂସଦ ଘେରାଉ କରିବ । ଏହି ଘୋଷଣା ସହ ଅଳକା ଲାମ୍ବା ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଅଳକା ଲାମ୍ବା କହିଛନ୍ତି, ରାହୁଲ ଗାନ୍ଧୀ ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଦୁଇ ଦିନ ହେବ ଲଗାତର ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ କରିଛନ୍ତି । ପୂର୍ବରୁ ଆମ ବିଧାୟକମାନେ ମହିଳା ସୁରକ୍ଷା ପାଇଁ ଆଲୋଚନା କରିବାକୁ ଦାବି କରିବାରୁ ତାଙ୍କୁ ବିଧାନସଭାରୁ ବାହାର କରିଦେଇଥିଲେ ବିଜେପି ସରକାର । ଏବେ ପୁଣି ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା । ସେ ସମସ୍ତଙ୍କୁ ଜଣାଇଥିଲେ ହେଲେ ସରକାର ନିରବ ରହିଥିଲେ । ଓଡ଼ିଶାରେ ନାରୀ ନିରାପତ୍ତା ଓ ନ୍ୟାୟ ପାଇଁ କୌଣସି କଡ଼ା ପଦକ୍ଷେପ ନିଆଯାଇ ନାହିଁ ।

ଆଗାମୀ ସଂସଦ ଅଧିବେଶନରେ ଏହି ପ୍ରସଙ୍ଗକୁ ପ୍ରମୁଖତା ଦେବ ବୋଲି ଅଳକା ଲାମ୍ବା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଗାମୀ ୨୧ ତାରିଖରେ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ କଂଗ୍ରେସ ଦଳ ସଂସଦ ଘେରାଉ କରି ବାଲେଶ୍ୱର ଘଟଣାରେ ନ୍ୟାୟ ଦାବି କରିବ। ଓଡ଼ିଶା ପ୍ରସଙ୍ଗକୁ ଆମେ ପ୍ରାଥମିକତା ଦେବୁ । ତେବେ ଅଳକା ଲାମ୍ବା ଓଡ଼ିଶା ଗସ୍ତ କରି ସୌମ୍ୟଶ୍ରୀ ବିଶୀଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମହିଳା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନିପତିଙ୍କ ନେତୃତ୍ୱରେ ବାଲେଶ୍ୱରରେ ଏକ ବିଶାଳ କର୍ମୀ ସମାବେଶ ଆୟୋଜନ କରାଯାଇଛି ।