ମାଲକାନଗିରି: କମ୍ବିଂ ଅପରେସନ୍ ବେଳେ ପୋଲିସକୁ ବଡ଼ ସଫଳତା । ଛତିଶଗଡ଼ ସୁକୁମାରେ ଧରାପଡ଼ିଲେ ୬ ଜଣ ହାର୍ଡକୋର୍ ମାଓବାଦୀ । କୋଣ୍ଟା ଥାନା ଅଞ୍ଚଳରୁ ୨ ଓ ବେଜି ଥାନା ଅଞ୍ଚଳରୁ ୪ ଗିରଫ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କୁ ବଡ଼ କ୍ଷତି ପହଞ୍ଚାଇବାକୁ ଯୋଜନା କରୁଥିଲେ । ଘଟଣାସ୍ଥଳରୁ ୩ କେଜିର ଟିଫିନ୍ ବୋମା, ୫ ଟି ଡେଟୋନେଟର୍, ତାର ଇତ୍ୟାଦି ଜବତ କରାଯାଇଛି । ଗିରଫ ୨ ମାଓବାଦୀଙ୍କ ନାଁରେ ଥିଲା ୨ ଲକ୍ଷର ପୁରସ୍କାର ରାଶି ।
ସୂଚନା ଅନୁସାରେ, ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଲେ ୬ ଜଣ ହାର୍ଡକୋର ମାଓବାଦୀ । କୋଣ୍ଟା ଥାନା ଅଞ୍ଚଳରୁ ଦୁଇ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ବେଜି ଥାନା ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରାଯାଇଛି । ଡିଆରଜି ଓ ସିଆରପିଏଫ ବାହିନୀର ମିଳିତ ଅପରେସନ ବେଳେ ଏହି ୬ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ଗିରଫ ମାଓବାଦୀ ମାନେ ହେଲେ କୁଞ୍ଜାମ ମୁକା, ମାଡଭି ମୁଇୟା, ସୋଡି ଚନ୍ଦ୍ରୁ, ମୁଚାକି ଲଖମା, ସୋଡି ଦେବା ଓ ସିଙ୍ଗା ସୋଡି । ଗିରଫ ପରେ ଜଙ୍ଗଲ ଭିତରୁ ୩ କିଲୋଗ୍ରାମ ଓଜନର ଗୋଟିଏ ଟିଫିନ ବୋମା, ୭ ମିଟର କୋଡେକ୍ସ ତାର, ୧୫ ମିଟର ବୈଦ୍ୟୁତିକ ତାର, ୫ଟି ଡିଟୋନିଟର ଜବତ କରାଯାଇଛି ।