ପୁରୀ : ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଆଜି ବାହୁଡ଼ିବେ ଦାରୁବ୍ରହ୍ମ। ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ଶରଧାବାଲିରେ ଥିବା ରଥ ଉପରେ ପହଣ୍ଡି ବିଜେ କରିବେ। ବଡ଼ଦାଣ୍ଡରେ ଘର ଘର ନାଦକରି ଶ୍ରୀମନ୍ଦିର ସିଂହଦ୍ବାର ଅଭିମୁଖେ ଗଡ଼ିବ ତିନିରଥ। ପୁଣିଥରେ ଭକ୍ତ ଓ ଭଗବାନଙ୍କ ହେବ ମହାମିଳନ । ନବଦିନ ବ୍ୟାପୀ ଆଡ଼ପମଣ୍ଡପ ଲୀଳା ଶେଷକରି ବାହୁଡ଼ାଯାତ୍ରା କରିବେ ମହାପ୍ରଭୁ। ବିଶ୍ବବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା ପରଂବ୍ରହ୍ମ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଫେରିବା ବାଟକୁ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ରଥ, ପଥ ଓ ଭକ୍ତ। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ସମ୍ମୁଖରେ ତିନିରଥକୁ ପ୍ରସ୍ତୁତ କରି ରଖାଯାଇଛି ।

ଆକର୍ଷଣୀୟ ଫୁଲରେ ରଥ ଗୁଡ଼ିକୁ ସଜ୍ଜିତ କରାଯାଇଛି। ମଣିମାଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଫେରିବେ । ଫେରିବା ବାଟରେ ମାଉସୀ ମା’ ହାତରୁ ପୋଡ ପିଠା ଖାଇ ବାହୁଡିବେ କାଳିଆ ସାଆନ୍ତ । ମହାପ୍ରଭୁଙ୍କ ଅପେକ୍ଷାରେ ରତ୍ନବେଦୀ । ଏପଟେ ପୁରୀକୁ ଛୁଟିଲାଣି ଭକ୍ତଙ୍କ ସୁଅ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଲାଣି । ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ନିଜକୁ ସାମିଲ କରିବାକୁ କୋଣ ଅନୁକୋଣରୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ । ଏପଟେ ମହାପ୍ରଭୁଙ୍କ ପାଇଁ ଆକାଶରୁ ଭକ୍ତି ପୁଷ୍ପ ଢାଳିଦେଲେ ଇନ୍ଦ୍ରଦେବ । ଲୋକାରଣ୍ୟ ଶରଧାବାଲି ।

ଏପଟେ ଭକ୍ତଙ୍କ ସମାଗମ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଆଇ ରଖିଛି ଭିଡ ଉପରେ ନଜର । ପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ନୀତିନିର୍ଘଣ୍ଟ ଅନୁଯାୟୀ ଆଜି ମଙ୍ଗଳ ଆଳତୀ ଭୋର୍ ୪.୦୦, ମଇଲମ ଭୋର ୪.୧୫, ତଡ଼ପଲାଗି ଓ ରୋଷହୋମ ଭୋର୍ ୪.୩୦, ଅବକାଶ ସକାଳ ୫.୦୦, ସୂର୍ଯ୍ୟପୂଜା ସକାଳ ୫.୧୫, ଦ୍ଵାରପାଳ ପୂଜା ଓ ବେଶଶେଷ ସକାଳ ୫.୩୦, ଗୋପାଳ ବଲ୍ଲଭ ଓ ସକାଳ ଧୂପ ୫.୪୫ ରୁ ୬.୪୫, ସେନାପଟାଲାଗି ସକାଳ ୭.୦୦ ରୁ ୧୧.୩୦, ମଙ୍ଗଳାର୍ପଣ ଦିନ ୧୧.୪୫, ବାହୁଡ଼ା ପହଣ୍ଡି ଦିବା ୧୨.୦୦ ରୁ ୨.୩୦, ବେଶଶେଷ ଦିବା ୧.୦୦ ରୁ ୨.୩୦, ଛେରା ପହଁରା ୨.୩୦ ରୁ ୩.୩୦, ଚାରମାଳ ଫିଟା ଓ ଘୋଡ଼ା ଲାଗିବା ଦିନ ୩.୦୦ ରୁ ୪.୦୦ଟା, ରଥଟଣା ଆରମ୍ଭ ଅପରାହ୍ନ ୪.୦୦ଟାରେ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି ।

ଅନ୍ୟପଟେ ରଥଯାତ୍ରା ପରି ପରିସ୍ଥିତି ସୃଷ୍ଟି ନ ହେବା ଲାଗି ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୁରୀ ଜିଲ୍ଲାପାଳ ଓ ଏସପି ସବୁ ପ୍ରକାର ପ୍ରଶାସନିକ ସହଯୋଗ ଯୋଗାଇ ଦେଉଛନ୍ତି । ଯେହେତୁ ଆସନ୍ତାକାଲି ମହାପ୍ରଭୁଙ୍କ ସୁନା ବେଶ ରହିଛି । ଏଣୁ ଆଜି ସନ୍ଧ୍ୟା ବେଳକୁ ତିନି ରଥକୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଲଗାଇବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚାଲିଛି । ବାହୁଡା଼ ଯାତ୍ରାରେ ଭକ୍ତ ଙ୍କ ସୁରକ୍ଷା ପାଇଁ ୨୦୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ କୁ ମୁକାବିଲା ପାଇଁ ଓଡ଼ିଶା ପୋଲିସ ର ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡକୁ ନିୟୋଜିତ କରାଯାଇଛି । ପୁରୀ ଭୁବନେଶ୍ଵର, ପୁରୀ କୋଣାର୍କ ରାସ୍ତା ସହିତ ସମଗ୍ର ପୁରୀ ସହରକୁ 275 ଟି ଅତ୍ୟାଧୁନିକ ଏଆଇ କ୍ୟାମେରାରେ ନଜର ରଖାଯାଇଛି । ପୁରୀ ଟାଉନ୍ ଥାନା ରେ ଏ ନେଇ ଏକ ନିୟନ୍ତ୍ରଣ କକ୍ଷ ରହିଛି ।