ଭୁବନେଶ୍ଵର: ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ଶେଷରେ ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କଲା ପୋଲିସ । ଗିରଫ ପରେ ଜଗନ୍ନାଥ ପ୍ରଧାନଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା ନିମନ୍ତେ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିବା ନେଇ ଜଣାପଡିଛି । ସେଠାରେ ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ଅନ୍ୟପଟେ ଜଗନ୍ନାଥ ପ୍ରଧାନଙ୍କ ଗିରଫ ପ୍ରତିବାଦରେ ବାଣୀବିହାରରେ ଧାରଣାରେ ବସିଛନ୍ତି ଜଗନ୍ନାଥଙ୍କ ସହକର୍ମୀ ।

ସୂଚନା ଅନୁସାରେ, ପ୍ରାୟ ୯ ସମୟରେ ଡିସିପି ଅଫିସକୁ ଯାଇଥିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ସେଠାରେ ସେ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି । ଜଗନ୍ନାଥ ପ୍ରଧାନଙ୍କ ଗିରଫ ପରେ ଓଏଏସ କର୍ମଚାରୀଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫଦାରୀ ସଂଖ୍ୟା ୬କୁ ବଢିଛି । ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଡିସିପି ଅଫିସ ପହଞ୍ଚିବା ପରେ ପ୍ରତିକ୍ରିୟା ଦେଇଛନ୍ତି ଜଗନ୍ନାଥ ପ୍ରଧାନ। ମୁଁ ତଦନ୍ତରେ ସହଯୋଗ କରିବାକୁ ଆସିଛି। ମୋ ଗିରଫଦାରୀରେ ଯଦି ସମସ୍ୟାର ସମାଧାନ ହେବ ତା ହେଲେ ମୁଁ ସହଯୋଗ କରିବି। ଅନ୍ୟପଟେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥନରେ ତାଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି।

ଗତ ତିନି ଦିନ ଧରି ବିଏମସି ଅତିରିକ୍ତ କମିଶନର ରତ୍ନାକରଣ ସାହୁଙ୍କୁ ମାଡ଼ ଘଟଣାରେ ଜିଦିରୁ ଓହରି ନାହାନ୍ତି ଓଏସ୍ ସଂଘ । ଯାହାକୁ ନେଇ ତେଜିଛି ରାଜନୀତି । ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ନ କରିବା ଯାଏ ଧର୍ମଘଟ ଜାରି ରହିବ ବୋଲି ଓଏଏସ ସଂଘ ସ୍ପଷ୍ଟ କରି ସାରିଛି।