ରାଇରଙ୍ଗପୁର: ମରଣଯନ୍ତା ପାଲଟିଛି ୨୨୦ ନମ୍ବର ଜାତୀୟ ରାଜପଥ । ପ୍ରାୟ ପ୍ରତ୍ୟକ ଦିନ ଘଟୁଛି ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଦୁଇ ବାଇକ୍ ପରସ୍ପର ସହ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ପାଖ ଜାତୀୟ ରାଜପଥ ୨୨୦ ନମ୍ବର ମା ବାଟବଙ୍ଗଳା ଢ଼ାବା ନିକଟରେ ଗତକାଲି ରାତିରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀ ରାସ୍ତାରେ ଛିଟିକି ପଡ଼ିଥିଲେ । ରକ୍ତ ଜୁଡୁବୁଡୁ ଅଵସ୍ଥାରେ ଉଭୟଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ମାତ୍ର ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଜଣେ ଗୁରୁତର ଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତାମୁଡିହା ଧାତକୀ ସାହି ଗ୍ରାମର ୨୨ ବର୍ଷିୟ ବିଷ୍ଣୁ ପାତ୍ର । ଏବଂ ଗୁରୁତର ଜଣଙ୍କ ହେଲେ ଭୋଳାବେଡା ଗ୍ରାମର ୧୯ ବର୍ଷିୟ ଗଣେଶ ସିଂ । ଉକ୍ତ ଘଟଣାରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ରାଇରଙ୍ଗପୁର କଲେଜ ଛକ କିଛି ଦୂରରେ ନୋ ଏଣ୍ଟ୍ରି ପଏଣ୍ଟ ଥିବା ବେଳେ ପ୍ରାୟ ସମୟ ସେଠାରେ ଲୁହା ବୋଝେଇ ଟ୍ରକମାନ ଛିଡ଼ା ହୋଇଥାଏ । ତେବେ ଅନ୍ଧାର ଏବଂ ସୁନସାନ୍ ରାସ୍ତା ହୋଇଥିବାରୁ ଗାଡି ଚାଳକମାନେ ଦୃତ ଗତିରେ ଗାଡି ଚଳାଇ ଆସି ଦୁର୍ଘଟଣାରେ ଶିକାର ହେଉଛନ୍ତି । ତେଣୁ ନୋ ଏଣ୍ଟ୍ରି ପଏଣ୍ଟକୁ ଭାଲୁଵସା ରାଣୀ ବନ୍ଧ ପାଖକୁ ସ୍ଥାନାନ୍ତର କରିବା ପାଇଁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।