ଏମଭି- 79ରେ ପ୍ରଥମ ଥର ପାଇଁ ଶୀତଳ ଷଷ୍ଠୀ : ନଗର ପରିକ୍ରମା ଓ ଦେବ ବିବାହରେ ଶତାଧିକ ଭକ୍ତଙ୍କ ସମାଗମ

ଏମଭି 79 ତାରକେଶ୍ବର ମନ୍ଦିରରେ ପ୍ରଥମ ଥର ପାଇଁ ଶୀତଳ ଷଷ୍ଠୀ ପର୍ବ ଅଭୂତପୂର୍ବ ଉତ୍ସାହ ଓ ଧୁମଧାମରେ ପାଳିତ ହୋଇଯାଇଛି। ପାର୍ବତୀଙ୍କ ପିତା ଭାବେ ସରୋଜିତ ଶେଖର ମଲ୍ଲିକ ଓ ମାତା ଭାବେ ଦୀପା ମଲ୍ଲିକ ଏବଂ ଶିବଙ୍କ ପିତା ଭାବେ ଶ୍ରୀକାନ୍ତ ବେହେରା ଓ ମାତା ଭାବେ ଅନିତା ବେହେରାଙ୍କ ଉପସ୍ଥିତିରେ ନଗର ପରିକ୍ରମା ଓ ଦେବ ବିବାହର ପବିତ୍ର ରୀତିନୀତି ସମ୍ପନ୍ନ ହୋଇଛି। ଏହି ଐତିହାସିକ ଉତ୍ସବରେ ଶତାଧିକ ମହିଳା ବରଯାତ୍ରୀ ଓ କନ୍ୟା ପକ୍ଷରେ ସାମିଲ ହୋଇ ନଗର ପରିକ୍ରମାରେ ଅଂଶଗ୍ରହଣ କରିଥିଲେ, ଯାହା ଏହି ଅଞ୍ଚଳରେ ଏକ ନୂଆ ପରମ୍ପରାର ସୃଷ୍ଠି କରିଛି।

 

ମନ୍ଦିର ପରିସରରେ ବିବାହ ଓ ରାତ୍ରି ଭୋଜନର ଭବ୍ୟ ଆୟୋଜନ କରାଯାଇଥିଲା, ଯେଉଁଥିରେ ଅଞ୍ଚଳର ସତ୍ୟ ନାରାୟଣ ସୁବୁଦ୍ଧି, ବୁଲୁ ସୁବୁଦ୍ଧି, ଦିନେଶ, ରୋହନ ସିଂ,ନାରାୟଣ ସରକାର, ବିଭୂତି ଭୂଷଣ ସେଠୀ, ଚିତ୍ତ ସେନ୍ ମହାରଣା, ମନୋଜ କୁମାର ଜେନା, ପ୍ରହ୍ଲାଦ ଦାସ, ଓ ଅନନ୍ୟ ପ୍ରମୁଖ ଉପସ୍ଥିତ ରହି ଏହି ପର୍ବର ସାକ୍ଷୀ ହୋଇଥିଲେ। ଏହି ଅବସରରେ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ଅନୁପମ ପରିବେଶ ସୃଷ୍ଟି ହୋଇଥିଲା।

କମିଟି ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି ଶୀତଳ ଷଷ୍ଠୀ ପର୍ବ ଆଗାମୀ ବର୍ଷମାନଙ୍କରେ ଆହୁରି ବୃହତ୍ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହେବ। ପ୍ରଥମ ଥର ପାଇଁ ଆୟୋଜିତ ଏହି ଉତ୍ସବକୁ ସଫଳ କରିବା ପାଇଁ ଅଞ୍ଚଳବାସୀଙ୍କ ସହଯୋଗ ଓ ଉତ୍ସାହ ପାଇଁ କମିଟି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପର୍ବ ଏମଭି 79 ଅଞ୍ଚଳର ସାଂସ୍କୃତିକ ଓ ଧାର୍ମିକ ପରିଚୟକୁ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି।