ନୂଆଦିଲ୍ଲୀ-: ମାତୃତ୍ଵ ଛୁଟି ହେଉଛି ମାତୃତ୍ଵ ସୁବିଧାର ଏକ ଅଭିନ୍ନ ଅଙ୍ଗ ଏବଂ ମହିଳାଙ୍କ ପ୍ରଜନନ ଅଧିକାରର ଏକ ପ୍ରମୁଖ ଅଂଶ । ଜଣେ ମହିଳାଙ୍କୁ ମାତୃତ୍ଵ ଛୁଟି ଅଧିକାରରୁ କୌଣସି ସଂସ୍ଥା ବଞ୍ଚିତ କରିପାରିବେନି ବୋଲି ଆଜି ସୁପ୍ରିମ୍କୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇ କହିଛନ୍ତି ।
ସୁପ୍ରିମ୍କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମଦ୍ରାସ ହାଇକୋର୍ଟର ଖଣ୍ଡପୀଠଙ୍କ ନିଷ୍ପତ୍ତିକୁ ଖାରଜ କରିଛନ୍ତି, ଯେଉଁଥିରେ ଜଣେ ସରକାରୀ ଶିକ୍ଷୟିତ୍ରୀଙ୍କୁ ତାଙ୍କ ତୃତୀୟ ସନ୍ତାନ ଜନ୍ମ ପରେ ମାତୃତ୍ୱ ଅବକାଶ ଦେବାକୁ ମନା କରାଯାଇଥିଲା । ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ମାତୃତ୍ୱ ଅବକାଶ ମହିଳାଙ୍କ ପ୍ରଜନନ ଅଧିକାରର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଏହା ମହିଳା କର୍ମଚାରୀଙ୍କ ଅଧିକାର ସୁରକ୍ଷା ସହ ମାତୃତ୍ୱ ଲାଭ ଆଇନର ବ୍ୟାପକ ବ୍ୟାଖ୍ୟାକୁ ମଜବୁତ କରେ ।
ନ୍ୟାୟମୂର୍ତି ଅଭୟ ଏସ୍. ଓକା ଓ ନ୍ୟାୟମୂର୍ତି ଉଜ୍ଜଲ ଭୁୟାନଙ୍କ ଖଣ୍ଡପୀଠ କହିଛନ୍ତି, “ମାତୃତ୍ୱ ଅବକାଶ କେବଳ ଏକ ବୈଧାନିକ କିମ୍ବା ସେବା ସର୍ତ୍ତ ସହ ଜଡ଼ିତ ଅଧିକାର ନୁହେଁ, ବରଂ ଏହା ଆନ୍ତର୍ଜାତୀୟ ମାନବାଧିକାର ଆଇନ ଅନୁଯାୟୀ ସ୍ୱାସ୍ଥ୍ୟ, ଗୋପନୀୟତା, ସମାନତା, ଅଭେଦଭାବ ଓ ଗୌରବର ଅଧିକାର ସହ ଜଡ଼ିତ ଏକ ମୌଳିକ ପ୍ରଜନନ ଅଧିକାର।” ସୁପ୍ରିମ୍କୋର୍ଟ ଦୃଢ଼ ଭାବେ କହିଛନ୍ତି ଯେ ପ୍ରଜନନ ଅଧିକାରର ସୁରକ୍ଷା ବିନା ମହିଳାଙ୍କ ଗୌରବର ରକ୍ଷା ସମ୍ଭବ ନୁହେଁ, ଏବଂ ମାତୃତ୍ୱ ଅବକାଶ ଏହି ଅଧିକାରଗୁଡ଼ିକର ପୂର୍ଣ୍ଣାଙ୍ଗ ପାଳନର ଏକ ମାଧ୍ୟମ ।
ଉଲ୍ଲେଖଯୋଗ୍ୟ, ୨୦୧୭ରେ ସୁପ୍ରିମ୍କୋର୍ଟଙ୍କ ରାୟ କ୍ରମେ ମାତୃତ୍ୱ ସୁବିଧା ଆଇନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଥିଲା । ମାତୃତ୍ୱ ଛୁଟି ସମସ୍ତ ମହିଳା କର୍ମଚାରୀଙ୍କ ପାଇଁ ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି କରାଯାଇଥିଲା । ଯେଉଁ ମହିଳା ପୋଷ୍ୟ ସନ୍ତାନ ଗ୍ରହଣ କରୁଛନ୍ତି ସେମାନେ ମଧ୍ୟ ୧୨ ସପ୍ତାହର ମାତୃତ୍ୱ ଛୁଟି ନେଇପାରିବେ ।