ଜାତୀୟ ପଞ୍ଚାୟତିରାଜ ଦିବସରେ ଅସ୍ତବ୍ୟସ୍ତ ଜନତା, ମଞ୍ଚରୁ ଓହ୍ଲାଇ ଆସିଲେ ଅତିଥି  

ସୁବର୍ଣ୍ଣପୁର : ମଞ୍ଚରେ କୁଲର୍ ଲାଗିଥିଲା । ମଞ୍ଚ ତଳେ ବି ଆବଶ୍ୟକ ସୁବିଧା କରାଯାଇଥିଲା । କିନ୍ତୁ ଖରା ପାଇଁ କୁଲର୍ ପବନ ଯଥେଷ୍ଟ ହେଲାନି । ଝାଳେଇ ଗଲେ ବିଡିଓ ଭାଷଣ ଦେଇ ମଞ୍ଚରୁ ତଳକୁ ଓହ୍ଲାଇ ଆସିଲେ । ଦର୍ଶକ ଭାବେ ବସିଥିବା ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇପଡ଼ୁଥିଲେ । ଏଭଳି ଏକ ଭିନ୍ନ ଦୃଶ୍ୟ ଡୁଙ୍ଗୁରିପାଲ ବ୍ଲକ ରାଧାକୃଷ୍ଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଜାତୀୟ ପଞ୍ଚାୟତିରାଜ ଦିବସରେ ଦେଖିବାକୁ ମିଳିଛି ।

ଉତ୍ସବରେ ବିଡିଓ ଦିଲୀପ ବାରା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ଯକ୍ଷା ଅହଲ୍ୟା ସାହୁ, ସମ୍ମାନିତ ଅତିଥି ଭାବେ ଉପାଧ୍ଯକ୍ଷ ମକରଧ୍ୱଜ ସାହୁ, ବଲାଙ୍ଗିର ସାଂସଦ ପ୍ରତିନିଧି ହେମନ୍ତ ବିଶ୍ଵାଳ, ବନ୍ଧପାଲି ସରପଞ୍ଚ କ୍ଷୀରୋଦ୍ର ବୁଡେକ, ଚେରୁପାଲି ସରପଞ୍ଚ ଦିଲୀପ ଶତପଥୀ ଉପସ୍ଥିତ ଥିଲେ । ବ୍ଳକ ନୋଡାଲ ଅଫିସର ଭାବେ ଆଲୋକ ରଞ୍ଜନ ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ଏପିଓ ପ୍ରଦ୍ୟୁମ୍ନ ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଯୋଗାଣ ଅଧିକାରୀ ସୁବ୍ରତ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି  କାର୍ଯ୍ୟକ୍ରମରେ ୨୭ଜଣ ନୂଆ ହିତାଧ୍କାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଥିବା ବେଳେ ୧୦ଜଣ ହିତାକାରୀଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନିତେଇ ପାଳ, ମିଶନ ଶକ୍ତିର ଲକ୍ଷ୍ମୀ ସରାଫଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଷ୍ଟଲ ପ୍ରଦର୍ଶନ ହୋଇଥିଲା । ପରିତାପର ବିଷୟ, କାର୍ଯ୍ୟକ୍ରମ ସକାଳ ୧୦ଟା ୩୦ରେ ଆରମ୍ଭ ହୋଇଥିଲା । ଉପରେ ସାମାନ୍ୟ ପତଳା ଟେଣ୍ଟ ବନ୍ଧା ଯାଇଥିଲା । ଯାହାକି ସୂର୍ଯ୍ୟକିରଣକୁ ଅଟକାଇ ପାରୁନଥିଲା । ଉପସ୍ଥିତ ଲୋକେ ଗରମରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ । ସେଠାରେ ଲାଗିଥିବା କୁଲର ମଧ୍ଯ ଗରମ ପାଇଁ କାମ ଦେଇ ନଥିଲା । ଅବସ୍ଥା ଏପରି ହେଲା ଯେ, ଅତିଥିମାନେ ନିଜ ବକ୍ତବ୍ୟ ପରେ ମଞ୍ଚରୁ ଓହ୍ଲାଇ ବାହାରି ଆସିଥିଲେ । ବିଡିଓଙ୍କ ଭାଷଣ ବେଳେ ଝାଳେଇ ଯାଇଥିବା ଦେଖ‌ିବାକୁ ମିଳିଥିଲା । ଉପସ୍ଥିତ ମହିଳା ମାନେ ଛୋଟ ଛୋଟ ଶିଶୁଙ୍କୁ ଧରି ହାତରେ ବିଞ୍ଚୁଥିଲେ । ସରକାର ୧୦ଟା ପରେ କାର୍ଯ୍ୟକ୍ରମ ନକରି ଘରେ ରହିବାକୁ କହୁଥିବା ବେଳେ ଆଜିର କାର୍ଯ୍ୟକ୍ରମ ୧୦.୩୦ରେ ଆରମ୍ଭ କରାଯାଇ ଗୋଟାଏ ବେଳେ ସମାପ୍ତ କରିବା କେତେ ଦୂର ଠିକ୍ । ଆଗକୁ କୌଣସି କାର୍ଯ୍ୟକ୍ରମ ହେବାକୁ ଥିଲେ ଗ୍ରୀଷ୍ମକୁ ଦେଖ୍ କାର୍ଯ୍ୟକ୍ରମ କରାଯିବା ଉପରେ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି ।