ନୂଆଦିଲ୍ଲୀ: ଆକାଶ ଛୁଆଁ ସୁନା ଦର । ବାହାଘର ଋତୁରେ ସୁନା ଦର ଶୁଣି ଲାକମାନେ ସୁନା ଦୋକାନରୁ ମୁହଁ ଫେରାଇନେଉଛନ୍ତି । ଲକ୍ଷେ ଛୁଇଁଲା ସୁନା ।ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର କରିଛି । ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ବର ଅର୍ଥନୈତିକ ଅସ୍ଥିରତା ଯୋଗୁ ସୁନା, ରୁପା ଦର ଆକାଶଛୁଆଁ ହୋଇଛି ।

ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୯୯ ହଜାର ୮୦୦ ଟଙ୍କା ଟପିଛି । ୩ ପ୍ରତିଶତ ଜିଏସଟି ଲାଗିବା ପରେ ଦର ଏକ ଲକ୍ଷ ୧୬୬ ଟଙ୍କା ଛୁଇଁଛି । ଅଖିଳ ଭାରତୀୟ ସରାଫା ସଂଘ ମୁତାବକ, ଦିଲ୍ଲୀରେ ଆଜି ୯୯.୯% ଶୁଦ୍ଧତାଯୁକ୍ତ ସୁନା ଦର ୯୯,୮୦୦ ଟଙ୍କା ହୋଇଛି । ସେହିଭଳି ୯୯.୫% ଶୁଦ୍ଧତାଯୁକ୍ତ ସୁନା ୧,୬୦୦ ଟଙ୍କା ବଢ଼ି ୯୯,୩୦୦ ଟଙ୍କା ହୋଇଛି ।

ଗତ ଡିସେମ୍ବର ୩୧ରୁ ବର୍ତ୍ତମାନ ସୁଦ୍ଧା ସୁନା ଦର ମୋଟ ୨୦,୮୫୦ ଟଙ୍କା ବା ୨୬.୪% ମହଙ୍ଗା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସୋମବାର ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୭୭୦ ଟଙ୍କା ବଢ଼ି ହୋଇଛି ୯୮,୩୫୦ ଟଙ୍କା । ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ୭୦୦ ଟଙ୍କା ବଢ଼ିଛି ।

ଫଳରେ ଏହା ୯୦,୧୫୦ ଟଙ୍କାରେ ପହଞ୍ଚିଛି । ସୁନା ଦର ବଢ଼ିବାର ଅନେକ କାରଣ ରହିଛି । ଆମେରିକାର ଶୁଳ୍କ ନୀତି ଯୋଗୁ ବାଣିଜ୍ୟ ଯୁଦ୍ଧ ଭୟଙ୍କର ହେବାର ଆଶଙ୍କା ରହିଛି । ଫଳରେ ଅର୍ଥନୀତିର ଗତି ଧୀମା ହୋଇପାରେ ।