ସୁବର୍ଣ୍ଣପୁର-: ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ବଡ଼ଖମାର ଗ୍ରାମର ବରିଷ୍ଠ ବିଜେପି ନେତା ଗଦାଧର ପଣ୍ଡା (୭୦)ଙ୍କ ହୃଦ୍ଘାତରେ ପରଲୋକ ହୋଇଯାଇଛି । ସେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରୀ ପଣ୍ଡା ପୂର୍ବରୁ ୩ ଥର ଜଟେସିଂହା ସରପଞ୍ଚ ରହିବା ସହ ବିଭିନ୍ନ ସମୟରେ ବିଜେପି ମଣ୍ଡଳ ସଭାପତି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି, ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଆଦି ପଦବୀରେ ରହି ଦାୟିତ୍ୱ ତୁଲାଇଥିଲେ । ସେ ଏକାଧାରରେ ଜଣେ ରାଜନେତା, ନାଟ୍ୟ ନିର୍ଦ୍ଦେଶକ, କୀର୍ତ୍ତନ ଗାୟକ, ରାମଲୀଳା କଳାକାର, ବାଦ୍ୟକାର ଓ ସମାଜସେବୀ ଥିଲେ । ଜଣେ ପରୋପକାରୀ, ମେଳାପୀ ବ୍ୟକ୍ତି ଓ ଉତ୍ତମ ଚାଷୀ ଭାବେ ସ୍ଥାନୀୟ ଅଞ୍ଚଳରେ ତାଙ୍କ ସୁନାମ ରହିଥିଲା । ମୃତ୍ୟୁ ସମୟରେ ପତ୍ନୀ, ପୁଅ ସତ୍ୟବ୍ରତ ଓ ସଞ୍ଜୀବ ତଥା ପରିବାରବର୍ଗ ତାଙ୍କ ନିକଟରେ ଉପସ୍ଥିତ ଥିଲେ । ଶ୍ରୀ ଗଦାଧର ଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।