ବିନା ନିମନ୍ତ୍ରଣରେ ବାହାଘରରେ ପଶିଗଲା ବାଘ, ଦୈାଡିଲେ ଅତିଥି…

ଚାଲିଥିଲା ବାହାଘର । ସବୁ ଅତିଥିଙ୍କୁ ହୋଇଥିଲା ନିମନ୍ତ୍ରଣ । ହେଲେ ବିନା ନିମନ୍ତ୍ରଣରେ ପହଞ୍ଚିଲେ ବାଘ ମାମୁଁ । ବାଘ ମାମୁଁଙ୍କ ଉପସ୍ଥିତିକୁ ନେଇ ଭୟରେ ଏଣେ ତେଣେ ଦୈାଡିଲେ ସମସ୍ତେ । ଇଏ କେଉଁ କାହାଣୀ ନୁହେଁ । ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶ ଲକ୍ଷ୍ନୌରେ। ବୁଧବାର ସହରର ଏକ ବିବାହ ମଣ୍ଡପରେ ଏକ ଚିତାବାଘ ପ୍ରବେଶ କରିଥିଲା। ବାଘର ଗର୍ଜନ ଶୁଣିବା କ୍ଷଣି କେହି କିଛି ଭାବିବା ପୂର୍ବରୁ ସବୁ ଯେଯୁଆଡେ ଦୌଡିବାକୁ ଲାଗିଲେ । ଏପଟେ ଓଜନଦାର ଲେହେଙ୍ଗା ପିନ୍ଧିଥିବା କନ୍ୟା ସାଙ୍ଗଙ୍କ ସହ ଦୌଡ଼ିଲେ , ସେପଟେ ବର ମଧ୍ୟ ମଣ୍ଡପର ଝରକାରୁ ତଳକୁ ଡେଇଁ ପଡ଼ିଲେ । ଏମିତି କି ବାଘକୁ କାବୁ କରିବାକୁ ଯାଇ ଜଣେ ବନ ଅଧିକାରୀ ମଧ୍ୟ ଆହତ ହେଲେ ।

ରାତିସାରା ଉଦ୍ଧାର କାର୍ୟ୍ୟ ପରେ ଗୁରୁବାର ଭୋର ୪ଟାରେ ଚିତାବାଘକୁ କାବୁ କରାଯାଇଥିଲା। ଘଟଣାଟି ଲକ୍ଷ୍ନୌର ପାରା ପୋଲିସ ଷ୍ଟେସନ ଅଞ୍ଚଳର ଏମଏମ ମ୍ୟାରେଜ ଲନରେ ଘଟିଥିଲା, ବୁଧବାର ରାତି ପ୍ରାୟ ୧୦.୩୦ ସମୟରେ, ଦୀପକ ନାମକ ଜଣେ ଅତିଥି ଦ୍ୱିତୀୟ ମହଲାରେ ଚିତାବାଘକୁ ଦେଖି ଭୟରେ ଉପରରୁ ଡେଇଁ ପଡ଼ିଥିଲେ। ଏହି କାରଣରୁ ସେ ଆହତ ହୋଇଥିଲେ ।


ବିବାହରେ ଉପସ୍ଥିତ ଅତିଥି ଏବଂ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ଏବଂ ବନ ବିଭାଗକୁ ସୂଚନା ଦିଆଯାଇଥିଲା। ସୂଚନା ମିଳିବା ମାତ୍ରେ ବନ ଅଧିକାରୀଙ୍କ ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ଚିତାବାଘର ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା। ଏହି ଦଳରେ ଡିଏଫଓ ସିତାଶୁ ପାଣ୍ଡେ ଏବଂ ରେଞ୍ଜ ଅଫିସର ମୁକଦ୍ଦର ଅଲି ମଧ୍ୟ ସାମିଲ ଥିଲେ। ଏହି ସମୟରେ ଚିତାବାଘଟି ଅଧିକାରୀମାନଙ୍କୁ ଆକ୍ରମଣ କରି ମୁକଦ୍ଦର ଅଲିଙ୍କୁ ଆହତ କରିଥିଲା। ରାତିସାରା ଉଦ୍ଧାର କାର୍ୟ୍ୟ ପରେ, ବନ ଅଧିକାରୀମାନେ ଶେଷରେ ଗୁରୁବାର ଭୋର ୪ଟାରେ ଚିତାବାଘକୁ କାବୁ କରିଥିଲେ। ଅନ୍ୟପକ୍ଷରେ, ଆହତ ବନ ଅଧିକାରୀ ମୁକଦ୍ଦର ଅଲି ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।