ନୂଆଦିଲ୍ଲୀ : ଆରଏସଏସର ଶୀର୍ଷ ନେତୃତ୍ୱ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଘରେ ବୈଠକ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବିଜେପି ସାଧାରଣ ସମ୍ପାଦକ ମଧ୍ୟ ଉକ୍ତ ବୈଠକରେ ଯୋଗ ଦେଇଥିଲେ । ସେପଟେ ଆରଏସଏସ ପକ୍ଷରୁ ଯୁଗ୍ମ ସାଧାରଣ ସମ୍ପାଦକ ଅରୁଣ କୁମାର ଏବଂ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବଲେ ଉପସ୍ଥିତ ଥିଲେ । ଦଳର ପରବର୍ତ୍ତୀ ରାଷ୍ଠ୍ରୀୟ ଅଧ୍ୟକ୍ଷ କିଏ ହେବେ ଏହି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।
ପ୍ରକାଶ ଥାଉ କି, ଚଳିତ ମାସ ଶେଷ ସୁଦ୍ଧା ଦଳର ରାଷ୍ଠ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା ହୋଇପାରେ । ଗତକାଲିର ଏହି ବୈଠକ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଦଳର ପରବର୍ତ୍ତୀ ସଭାପତି କିଏ ହେବେ ସେନେଇ ଆରଏସଏସ ର ସମ୍ମତି ନିହାତି ମହତ୍ୱପୂର୍ଣ୍ଣ । ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ କେରଳର ପାଲକ୍କଡରେ ଆରଏସଏସର ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ପୂର୍ବରୁ ନେତାମାନେ ଏହି ବୈଠକ କରିଛନ୍ତି । ଦଳର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିବା ଅନେକ କର୍ମୀଙ୍କୁ କେନ୍ଦ୍ର ସରକାରରେ ସାମିଲ କରାଯାଇଛି । ତେଣୁ ଦଳ ଏବଂ ଆରଏସଏସର ନିଷ୍ପତ୍ତି ନେଉଥିବା ବ୍ୟକ୍ତି ଜଣେ ତୃଣମୂଳ ସ୍ତରର ନେତାଙ୍କ ନାଁ ସାମ୍ନାକୁ ଆଣିବାକୁ ଚେଷ୍ଠା କରାଯାଉଥିବା ଚର୍ଚ୍ଚା ହେଉଛି ।