ସକାଳୁ ସକାଳୁ ମହୋଦଧି କୂଳରେ ପ୍ରାତଃ ଭ୍ରମଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ: ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ଯୋଗଦେବା ପରେ ଆଜି ସକାଳୁ ସକାଳୁ ମହୋଦଧି କୂଳରେ ପ୍ରାତଃ ଭ୍ରମଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମ ରାଷ୍ଟ୍ରପତି ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି।ସେ ବେଳାଭୂମିର ପବନ, ସମୁଦ୍ରର ଢେଉ ଓ ଜଳରାଶିକୁ ନେଇ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି  । ‘ପୃଥିବୀରେ ଏପରି ଅନେକ ସ୍ଥାନ ରହିଛି, ଯାହା ସଂସ୍ପର୍ଶରେ ଆସିଲେ ଆମେ ଜୀବନର ଅର୍ଥ ବୁଝିପାରୁ । ବଣ-ପାହାଡ଼, ନଦ-ନଦୀ ଓ ସାଗର-ବେଳାର ସମାହାର ଏହି ଯେଉଁ ପ୍ରକୃତି, ଆମେ ତା’ର ଅଂଶବିଶେଷ ବୋଲି ଆମର ହୃଦବୋଧ ହୁଏ ।

 

ଆଜି ବେଳାଭୂମିରେ ଚାଲୁଥିଲା ବେଳେ ମନ୍ଦ ମନ୍ଦ ପବନ ବହୁଥିଲା, ସମୁଦ୍ରର ଢେଉ ଗର୍ଜନ କରୁଥିଲା ଏବଂ ଜଳରାଶି ଦିଗବଳୟକୁ ଛୁଇଁଯାଉଥିଲା । ଏପରି ପରିବେଶରେ ମୁଁ ତଲ୍ଲୀନ ହୋଇଯାଇଥିଲି । ମୋର ମନେ ହେଲା, ମୁଁ ଯେମିତି ଧ୍ୟାମମଗ୍ନ ହୋଇଯାଇଛି’ ।ଗତକାଲି ପୁରୀ ଆସି ରଥାରୂଢ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି  ।

ମହାପ୍ରଭୁଙ୍କ ଦର୍ଶନ କରି ରାଷ୍ଟ୍ରପତି କହିଛନ୍ତି ‘ମୁଁ ଯେଉଁ ପ୍ରଶାନ୍ତି ଲାଭ କରିଥିଲି, ଏହି ପରିବେଶରେ ମଧ୍ୟ ମୋର ଅନୁରୂପ ଅନୁଭୂତି ହେଲା । ମୋର ଯେ କେବଳ ଏପରି ଅନୁଭୂତି ଅଛି ତା’ ନୁହେଁ ।

ନିଜ ଠାରୁ କାହିଁ କେତେ ଗୁଣ ବିଶାଳ ଏକ ସତ୍ତା ସଂସ୍ପର୍ଶରେ ଆସିଲେ ହିଁ ଆମ ଭିତରେ ଏପରି ଏକ ଭାବ ସୃଷ୍ଚି ହୁଏ । ଏହି ସତ୍ତା ଆମକୁ ଧରିରଖେ ଏବଂ ଆମ ଜୀବନକୁ ଅର୍ଥପୂର୍ଣ୍ଣ କରେ ’।