ନୂଆବର୍ଷରେ ଓଡିଶାବାସୀଙ୍କୁ ନବୀନଙ୍କ ଭେଟି , ବାରଙ୍ଗରେ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

0

କଟକ : ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ସତ ହେବ ଓଡ଼ିଶାବାସୀଙ୍କ ସ୍ୱପ୍ନ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ ପଟ୍ଟନାୟକ ।ବାରଙ୍ଗ ରାତାଗଡ ଲେଙ୍କାସାହିରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ମେଟ୍ରୋ ପ୍ରକଳ୍ପର ଶୁମାରମ୍ଭ ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ରୋଡ ସୋ କରିଥିଲେ । ସେ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ଟି ସ୍ଥାନରେ ଜୋରଦାର ସ୍ୱାଗତ କରାଯାଇଥିଲା । ଫୁଲ ପକାଇ, ଶଙ୍ଖ ବଜାଇ ସ୍ୱାଗତ କରିଥିଲେ ସାଧାରଣ ଲୋକେ । ମୁଖ୍ୟମନ୍ତ୍ରୀ ଗସ୍ତ ପାଇଁ କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷାରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆକୁ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଗଡିବା ନେଇ ଯୋଜନା କରାଯାଇଛି । ଏହି ମେଟ୍ରୋ ପ୍ରକଳ୍ପରେ ପାଖାପାଖି ୬୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ ଏହି ମେଟ୍ରୋ ପ୍ରକଳ୍ପ କରାଯାଉଛି । ୨୬ କିଲୋମିଟରର ଏହି ମେଟ୍ରୋ ରେଳ ପଥ ପାଇଁ ୨୦ଟି ଷ୍ଟେସନ ରହିବ । ଗତ ଏପ୍ରିଲ ପହିଲାରେ ମେଟ୍ରୋ ପ୍ରକଳ୍ପ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଡିପିଆର ପ୍ରସ୍ତୁତ କରାଯାଇ ଏହି ପ୍ରକଳ୍ପ ପାଇଁ କ୍ୟାବିନେଟରେ ଅର୍ଥ ବ୍ୟୟବରାଦ କରାଯାଇଥିଲା ।