ସରକାରଙ୍କ ‘KG ରୁ PG ମାଗଣା ଶିକ୍ଷା’ ପ୍ରହସନ! ବିକାଶ ଫିସ୍ ନାଁରେ ଲୁଟ୍

ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ସମସ୍ତଙ୍କ ପାଇଁ KG ରୁ PG ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ମାଗଣା କରାଯିବ। କିନ୍ତୁ ବାସ୍ତବରେ ପିଲାମାନେ କିପରି ମାଗଣା ଶିକ୍ଷା ପାଉଛନ୍ତି, ତାହାର ଏକ ଜ୍ୱଳନ୍ତ ତଥା ସାଂଘାତିକ ଚିତ୍ର ଏବେ ପଦାକୁ ଆସିଛି। ସରକାରଙ୍କ ମାଗଣା ଘୋଷଣାକୁ କିପରି କେତେକ ଶିକ୍ଷାନୁଷ୍ଠାନ ଖୋଲାଖୋଲି ଉପହାସ କରୁଛନ୍ତି, ତାହା ବରଗଡ଼ ଜିଲ୍ଲାରୁ ଆସିଥିବା ଏକ ରସିଦ୍‌ରୁ ସ୍ପଷ୍ଟ ଜଣାପଡ଼ିଛି। ବିଭିନ୍ନ ଫିସ୍ ନାମରେ କଲେଜଗୁଡ଼ିକ ଗରିବ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି।

May be an image of ticket stub and text

ସାମ୍ନାକୁ ଆସିଥିବା ତଥ୍ୟ ଅନୁଯାୟୀ, ବରଗଡ଼ ଜିଲ୍ଲା ଝାରବନ୍ଧସ୍ଥିତ ‘ପଞ୍ଚାୟତ ସମିତି ହାୟର ସେକେଣ୍ଡାରୀ ସ୍କୁଲ’ର ଏକ ନାମଲେଖା ରସିଦ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରସିଦ୍ ମୁତାବକ, +୨ ପ୍ରଥମ ବର୍ଷ କଳା ଶ୍ରେଣୀରେ ନାମଲେଖାଇଥିବା ଜଣେ ଛାତ୍ରଙ୍କଠାରୁ ସର୍ବମୋଟ ୭,୨୧୦ ଟଙ୍କା ଆଦାୟ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଡେଭଲପମେଣ୍ଟ ଫିସ୍’ ବା ବିକାଶ ଶୁଳ୍କ ନାଁରେ ସିଧାସଳଖ ୫,୫୦୦ ଟଙ୍କା ଆଦାୟ କରାଯାଇଛି। ଏହା ସହିତ ଅନ୍ୟାନ୍ୟ ଚାର୍ଜ ମିଶାଇ ଗରିବ ଛାତ୍ରଙ୍କ ଉପରେ ୭ ହଜାରରୁ ଅଧିକ ଟଙ୍କାର ବୋଝ ଲଦି ଦିଆଯାଇଛି।

ଯଦି ସରକାର ସମସ୍ତଙ୍କ ପାଇଁ ଶିକ୍ଷା ମାଗଣା କରିଛନ୍ତି, ତେବେ କେଉଁ ଆଧାରରେ ଏବଂ କାହା ନିର୍ଦ୍ଦେଶରେ କଲେଜ କର୍ତ୍ତୃପକ୍ଷ ଉନ୍ନୟନ ପାଣ୍ଠି ନାଁରେ ଏତେ ବଡ଼ ଅଙ୍କର ଟଙ୍କା ଲୁଟୁଛନ୍ତି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ମନମୁଖୀ ଚାନ୍ଦା ଆଦାୟ ଯୋଗୁଁ ଆଞ୍ଚଳିକ ସ୍ତରରେ ଥିବା ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି। ଏହି ଭାଇରାଲ ରସିଦ୍ ସାମ୍ନାକୁ ଆସିବା ପରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ, ଏ ନେଇ ଉଚ୍ଚଶିକ୍ଷା ବିଭାଗ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।