ତେଲେଙ୍ଗାନା : ଆଜି ଶପଥ ନେବେ ତେଲେଙ୍ଗାନା ନୂଆ ମୁଖ୍ୟମନ୍ତ୍ରୀ । ଆଉ କିଛି ସମୟ ପରେ କଂଗ୍ରେସ ନେତା ରେଭନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ୫୬ ବର୍ଷୀୟ ରେଭନ୍ତ ରେଡ୍ଡୀଙ୍କ ଶପଥ ଗ୍ରହଣ ଉତ୍ସବ ୧.୦୪ ମିନିଟରେ ହାଇଦ୍ରାବାଦର ଲାଲବାହାଦୂର ଷ୍ଟାଡିୟମରେ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ନେତା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଯୋଗ ଦେବେ ବୋଲି ଜଣାପଡ଼ିଛି । ଏହାଛଡା କାର୍ଯ୍ୟକ୍ରମରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ସାମିଲ ହେବେ । ଭିଡିକୁ ନଜରରେ ରଖି ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ରାଜ୍ୟର ମୁଖ୍ୟ ସଚିବ ଏ ଶାନ୍ତି କୁମାରୀ, ଡିଜିପି ରବି ଗୁପ୍ତା ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ୮ରୁ ୯ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ଉତ୍ସବରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଇତ୍ୟାଦି ସାମିଲ ରହିବେ ।