ଲ୍ୟାଣ୍ଡଫଲ କରୁଛି ‘ମିଗଜୋମ’ । ଭୀଷଣ ବାତ୍ୟା ‘ମିଗଜୋମ’ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଲ୍ୟାଣ୍ଡଫଲ ଆରମ୍ଭ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଦନ୍ଧିଣ ଆନ୍ଧ୍ରର ବାପାଟ୍ଲାରେ କରୁଛି ଲ୍ୟାଣ୍ଡଫଲ୍ କରୁଥିବା ବେଳେ ଆସନ୍ତା ୩ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବ ବୋଲି କୁହାଯାଉଛି । ଲ୍ୟାଣ୍ଡଫଲ ସ୍ଥଳରେ ପବନର ବେଗ ୯୦ ରୁ ୧୧୦ କିମି ରହିଥିବା ବେଳେ ଆଜି ସନ୍ଧ୍ୟା ଭିତରେ ବାତ୍ୟା ଦୁର୍ବଳ ହୋଇଯିବ ବୋଲି କୁହାଯାଉଛି ।
ଆସନ୍ତା କାଲିଠାରୁ ଏହାର ପ୍ରକୋପ ବୃଦ୍ଧି ପାଇବା ସହ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ବିଶେଷକରି ଦକ୍ଷିଣ ଉପକୂଳ ଓ ଓଡ଼ିଶାର ଆନ୍ଧ୍ର ସୀମାନ୍ତବର୍ତ୍ତୀ କିଛି ଜିଲ୍ଲାରେ ବର୍ଷା ଓ ପବନର ପ୍ରଭାବ ରହିବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି। ମଙ୍ଗଳବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ମଧ୍ୟ ଜାରି ହୋଇଛି। ଅନୁରୂପ ଭାବରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ୟେଲୋ ଆଲର୍ଟ ଜାରି କରାଯାଇଛି।ସେହିପରି ବୁଧବାର ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପବନର ବେଗ ବଢ଼଼ି ୪୦-୫୦ ଓ ଝଟକା ପବନ ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ଥିବା ବେଳେ ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ଏହା ୩୦-୪୦ ଓ ଝଟକା ପବନ ୫୦ କିମି ଛିଇଁପାରେ ବୋଲି ପାଣିପାଗ କେନ୍ଦ୍ର କହିଛି।