ବ୍ୟୁରୋ: ଚଳିତ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ପାଇବେ ନରୱେର ଲେଖକ ତଥା ନାଟ୍ୟକାର ୟୁନ ଫସା । ଏ ନେଇ ନୋବେଲ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ଆଜି ଘୋଷଣା କରାଯାଇଛି। ତାଙ୍କ ନାଟକ ଓ ଗଦ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ନୋବେଲ କମିଟି କହିଛି ଯେ ଯାହା ସାଧାରଣ ମଣିଷଟିଏ ପ୍ରକାଶ କରିପାରେ ନାହିଁ, ତାହା ୟୁନ ଫସାଙ୍କ ନାଟକ ଓ ପ୍ରବନ୍ଧରେ ଶବ୍ଦର ରୂପ ପାଇଛି। ତାଙ୍କ ଲେଖାରେ ଅନେକ ନାଟକ, ଉପନ୍ୟାସ, କବିତା ସଂଗ୍ରହ, ପ୍ରବନ୍ଧ, ଶିଶୁ ପୁସ୍ତକ ଏବଂ ଅନୁବାଦ ଅନ୍ତର୍ଭୁକ୍ତ। ତାଙ୍କ ଲିଖିତ ନାଟକ ଗୁଡିକ ବିଶ୍ୱର ସର୍ବାଧିକ ଅଭିନୀତ ଓ ସେ ତାଙ୍କ ପ୍ରବନ୍ଧ ପାଇଁ ଅଧିକ ମାନ୍ୟତା ପାଇଛନ୍ତି। ୧୯୫୯ ମସିହାରେ ନରଓ୍ବେରେ ଜନ୍ମିତ ଜନଙ୍କୁ ଯେତେବେଳେ ୭ ବର୍ଷ ବୟସ ସେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ । ତେବେ ସେ ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣା ତାଙ୍କ ଲେଖାକୁ ସାରା ଜୀବନ ପ୍ରଭାବିତ କରିଥିବା କୁହାଯାଏ ।