ଅକ୍ଟୋବର ୨, ଭାରତୀୟମାନଙ୍କ ପାଇଁ ସ୍ମରଣୀୟ ଦିନ ଗାନ୍ଧୀ ଜୟନ୍ତୀ

ଅକ୍ଟୋବର ୨, ଭାରତୀୟମାନଙ୍କ ପାଇଁ ସ୍ମରଣୀୟ ଦିନ । ଏହା ଦିନ ଭାରତବର୍ଷରେ ଜନ୍ମଗ୍ରହଣ କରିଥିଲେ ମହାତ୍ମା ଗାନ୍ଧୀ । ତାତିର ପିତା ମହାତ୍ମା ଗାନ୍ଧୀ ୧୮୬୯ମସିହା ଆତିର ଦିନରେ ଜନ୍ମ ଗ୍ରହଣ କରିଛନ୍ତି ।ମହାତ୍ମା ଗାନ୍ଧୀ ଥିଲେ ସତ୍ୟ, ଅହିଂସା ଓ ଶାନ୍ତିର ମୂର୍ତ୍ତିମନ୍ତ ପ୍ରତୀକ। ଲକ୍ଷ ଲକ୍ଷ ଲୋକଙ୍କୁ ଅହିଂସା ମହାମନ୍ତ୍ରରେ ଅନୁପ୍ରାଣିତ କରାଇ ସ୍ବାଧୀନତା ସଂଗ୍ରାମରେ ଲିପ୍ତ କରାଇବା ହେଉଛି ମହାତ୍ମା ଗାନ୍ଧୀଙ୍କ ଚରିତ୍ରର ବୈଶିଷ୍ଟ୍ୟ । ମୁଠାଏ ଲୁଣକୁ ଗୋଟେ ଜାତିର ସ୍ୱାଭିମାନର ପ୍ରତୀକ ବୋଲି ଚିହ୍ନେଇ ଦେବା ସହ ବିନା ଅସ୍ତ୍ର ଓ ରକ୍ତପାତରେ ନିଜର ଅଧିକାର ହାସଲ କରିବାର ବାଟ ବତେଇଥିଲେ।

ଦକ୍ଷିଣ ଆଫ୍ରିକାର କଳାଗୋରା ଭେଦଭାବ ବିରୋଧରେ ହେଉ କି ଭାରତର ସ୍ୱାଧୀନତା ସଂଗ୍ରାମ, ସବୁଠି ତାଙ୍କ ସତ୍ୟ ଓ ଅହିଂସା ଆଗରେ ପ୍ରତିପକ୍ଷ ଗର୍ବ ଓ ଦମ୍ଭ ହାର୍‌‌ ମାନିଥିଲା। ମହାତ୍ମା ଗାନ୍ଧୀ କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱରେ ଜଣେ ମହାମାନବ ଭାବରେ ସୁପରିଚିତ । ଭାରତୀୟ ରାଜନୀତିରେ ମହାତ୍ମା ଗାନ୍ଧୀଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ଼ ଦେଇଥିଲା । ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କରିଥିଲେ । ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ମିଳିତ ଜାତିସଂଘ କହିଥିଲା ‘ଗାନ୍ଧୀ ହେଉଛନ୍ତି ଆଧୁନିକ ବିଶ୍ୱଶାନ୍ତିର ଦାର୍ଶନିକ ।”ଆଇନ୍ ପାଠ ସାରି ଦକ୍ଷିଣ ଆଫ୍ରିକାରେ ପେସାଦାର ଜୀବନ ଆରମ୍ଭ କରିବା ବେଳେ ହିଁ ମହାତ୍ମା ଗାନ୍ଧୀଙ୍କ ଭିତରେ ଥିବା ନେତୃତ୍ୱ ନେବା ଗୁଣ ପ୍ରସ୍ପୁଟିତ ହୋଇଥିଲା। ୧୯୧୫ରେ  ଭାରତ ଫେରି ଦେଶରେ ହେଉଥିବା ଅନ୍ୟାୟ, ଅତ୍ୟାଚାର, ନିର୍ଯାତନାକୁ ଦେଖି ଏହା ବିରୋଧରେ ଲଢ଼େଇ ପାଇଁ ସେ ଦେଶବାସୀଙ୍କୁ ଏକାଠି କରିଥିଲେ।

୧୯୨୦ ଅସହଯୋଗ ଆନ୍ଦୋଳନ, ୧୯୩୦ର ଲବଣ ସତ୍ୟାଗ୍ରହ ଏବଂ ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନ ସାରା ଦେଶ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଲଢ଼ିଥିଲା।  ଗାନ୍ଧୀଙ୍କ ଏହି ପ୍ରୟାସ ଯୋଗୁଁ ଇଂରେଜମାନଙ୍କୁ ହାର ମାନିବାକୁ ପଡ଼ିଥିଲା ଓ ୧୯୪୭ ଅଗଷ୍ଟ ୧୫ରେ ଆମ ଦେଶ ବ୍ରିଟିଶ୍‌ ଶାସନରୁ ମୁକ୍ତ ହୋଇଥିଲା। ଗାନ୍ଧିଜୀ ଅହିଂସା ନୀତି ଆଗରେ ସେଦିନର ସାମ୍ରାଜ୍ୟବାଦୀ ବ୍ରିଟିଶ୍‌ ସେନାର ଶକ୍ତି ହାର ମାନିବାକୁ ବାଧ୍ୟ ହୋଇଥିଲା। ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ନାଥୁରାମ ଗଡ୍‌ସେ ନାମକ ଜଣେ ଆତ୍‌ତାୟୀ ଗୁଳିରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ବାପୁଜୀ । ସେହି ମହାପୁରୁଷଙ୍କ ସ୍ମୃତିରେ ଆଜି ସବୁଆଡ଼େ ତାଙ୍କ ଜୟନ୍ତୀ ପାଳନ କରାଯାଉଛି। ଗାନ୍ଧୀଙ୍କ ଅହିଂସାର ମାର୍ଗକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ‘ଅନ୍ତର୍ଜାତୀୟ ଅହିଂସା ଦିବସ’ ଭାବେ ପାଳନ କରାଯାଉଛି। ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ସତ୍ୟାଗ୍ରହ ଓ ଅହିଂସା ମାନବ ଜୀବନ ପାଇଁ ସବୁଠାରୁ ମୂଲ୍ୟବାନ ଉପହାର ଅଟେ ।