ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ପୂର୍ବାହ୍ନ ୧୧ଟାରେ ସ୍ଥାୟୀ ଅଧକ୍ଷ ଗଜପତି ମହାରାଜାଙ୍କ ଅଧ୍ଯକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ। ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏହା ପ୍ରଥମ ବୈଠକ । ଗତ ୨୭ ଜୁଲାଇ ଓ ୧ ଅଗଷ୍ଟରେ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବାତିଲ ହୋଇଥିଲା। ବୈଠକର ଏଜେଣ୍ଡାରେ ରହିଛି ୭ଟି ପ୍ରସଙ୍ଗ । ଏଥିରେ ରତ୍ନଭଣ୍ଡାର ଓ ଚାରିଦ୍ୱାର ଖୋଲିବା ପ୍ରସଙ୍ଗକୁ ବାଦ ଦିଆଯାଇଥିବା ଚିଠିରୁ ସ୍ପଷ୍ଟ ଜଣାପଡିଛି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ଓ ସେଵାୟତ ବିବାଦ ଯୋଗୁଁ ଗତ ଏକମାସ ଧରି ବନକଲାଗି ହୋଇନାହାନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ ଚଳିତ ପରିଚାଳନା କମିଟି ବୈଠକରେ ଏନେଇ ଚୁଡାନ୍ତ ନିଷ୍ପତ୍ତି ଆସିବା ନେଇ ଆଶା ସୃଷ୍ଟି ହୋଇଥିବା ବେଳେ,ପରିଚାଳନା କମିଟି ଏଜେଣ୍ଡାରେ କିନ୍ତୁ ଏହି ପ୍ରସଙ୍ଗ ବାଦ ପଡିଛି।ତେବେ ସାମ୍ପ୍ରତିକ ପରିସ୍ଥିତିରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି ଜୋର ଧରିବା ସହ ଅସୁରକ୍ଷିତ ରତ୍ନଭଣ୍ଡାର ଖୋଲି ମରାମତି କରିବାକୁ ଭକ୍ତ ମହଲରେ ଦାବି ରହିଛି ।ମାତ୍ର ଏ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଜେଣ୍ଡାରେ ସ୍ଥାନ ନଦେବାକୁ ନେଇ ଅସନ୍ତୋଷ ରହିଛି ।ସେପଟେ ପୂର୍ବରୁରତ୍ନଭଣ୍ଡାର ପ୍ରସଙ୍ଗ ପରିଚାଳନା କମିଟି ବୈଠକରେ ସ୍ଥାନ ନପାଇବା ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଖୋଦ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟନାୟକ।ତେବେ ଏଜେଣ୍ଡା ମୁତାବକ ଚଳିତ ଥର ରଥଯାତ୍ରା ଓ ସ୍ନାନଯାତ୍ରା ର ସମୀକ୍ଷା,ସେବକ ବାସଗୃହ ସମ୍ପର୍କରେ ଆଲୋଚନା,ଆଦର୍ଶ ଗୁରୁକୂଳ,ବାଉଳି ମଠ ଉନ୍ନତିକରଣ,ଜଗନ୍ନାଥ ମନ୍ଦିର ଭୂମି ଓ ପ୍ରକଳ୍ପ ସବ-କମିଟି ବୈଠକର ବିବରଣୀ ଅନୁପାଳନ ଆଦି ପ୍ରସଙ୍ଗରେ ଆଲୋଚନା କରିବ ଶ୍ରୀମନ୍ଦିର ପରିଚାଳନା କମିଟି।