ଗୋ ମାଂସ ବୋଝେଇ ପିକଅପ୍ ଭ୍ୟାନ ଜବତ, ଦୁଇ ଅଟକ

ସାଲେପୁର/ ତାରାକାନ୍ତ ନାୟକ:  ସାଲେପୁର ପୋଲିସ ରାତ୍ର ପ୍ରାୟ ସାଢେ଼ ୯ଟା ସମୟରେ ଏକ ଗୋ ମାଂସ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କରିବା ସହ ଗାଡି ଚାଳକ ସହ ଅନ୍ୟ ଜଣକୁ ଅଟକ ରଖିଥିବା ଜଣାପଡିଛି ।

ସୂଚନା ମୁତାବକ, ଗୋ ମାଂସ ବୋଝେଇ ଗାଡ଼ିଟି କଟକ ଚାନ୍ଦବାଲି ରାସ୍ତା ଦେଇ କଟକ ଅଭିମୁଖେ ଯାଉଥିଲା । କିଛି ଯୁବକ ଏହି ଗାଡ଼ିଟିକୁ ପିଛା କରିଆସୁଥିଲେ । ତେବେ ଦୃତ ବେଗରେ ଆସୁଥିବା ଗାଡ଼ିଟି ସାଲେପୁର ବଜାର ରାସ୍ତାର ଗହଳି ଯୋଗୁ ଧୀର ବେଗରେ ଯାଉଥିବା ବେଳେ ପିଛା କରୁଥିବା ଯୁବକ ମାନେ ଉକ୍ତ ଗାଡିଟିକୁ ସାଲେପୁର ବଜାର ମଧ୍ୟରେ ଅଟକାଇ ଥିଲେ । ପରେ ଗାଡି ଭିତରେ ଗୋ ମାଂସ ଥିବାର ଖବର ପ୍ରଚାରିତ ହେବାପରେ ବହୁ ଲୋକଙ୍କ ସମାଗମ ହୋଇଥିଲା । ଫଳରେ କିଛି ସମୟ ପାଇଁ ସେଠାରେ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂଚନା ପାଇ ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ପରେ ପୋଲିସ ଗୋମାଂସ ବୋଝେଇ ଗାଡ଼ିଟିକୁ ଜବତ କରି ଥାନାକୁ ନେଇଥିଲା । ଏହି ଘଟଣାରେ ପୋଲିସ ଗାଡିଚାଳକ ଓ ଅନ୍ୟ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ଅପରପକ୍ଷେ କିଛି ଦିନ ତଳେ ସାଲେପୁର ପୋଲିସ ମଧ୍ୟ ଏକ ଗୋମାଂସ ବୋଝେଇ ଗାଡିକୁ ଜବତ କରିଥିଲା ।