ଡଲଫିନ ଶିକାର କରିବା ଘଟଣାରେ ୫ ମତ୍ସ୍ୟଜୀବୀଙ୍କ ନାଁରେ ମାମଲା ରୁଜୁ

ରିପୋଟର୍ସ ଟୁଡେ ବ୍ୟୁରୋ:  ଯମୁନା ନଦୀରୁ ଡଲଫିନ୍ ଶିକାରକରି କାଟିଖାଇବାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଉତ୍ତର ପ୍ରଦେଶର କୌଶମ୍ବି ଜିଲ୍ଲାର ବୋଲି ଜଣାପଡ଼ିଛି। ଡଲଫିନ୍ ଶିକାରର ଏହି ଭିଡିଓ ସାମ୍ନାକୁ ଆସିବାପରେ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ। ଡେପୁଟି ରେଞ୍ଜର ଯାଞ୍ଚ ପରେ ଏହି ମାମଲାରେ ୫ ମତ୍ସ୍ୟଜୀବୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ରଣଜିତ ପାସି, ସଞ୍ଜୟ, ଦିୱାନ, ବାବାଜୀ ଓ ଗେନ୍ଦଲାଲଙ୍କ ନାଁରେ ମାମଲା ରୁଜୁ ହୋଇଛି।

ତଦନ୍ତରୁ ଜଣାପଡ଼ିଛି, ଜୁଲାଇ ୨୨ରେ ରଣଜିତ ପାସି ତାଙ୍କ ସାଥୀଙ୍କ ସହ ଯମୁନା ନଦୀରେ ମାଛ ଧରିବାକୁ ଯାଇଥିଲେ। ଶିକାର କରିବା ସମୟରେ ତାଙ୍କ ଜାଲରେ ପ୍ରାୟ ୯୦ କିଲୋ ଓଜନର ଏକ ଡଲଫିନ୍ ମାଛ ପଡ଼ିଥିଲା। ଏହାପରେ ମତ୍ସ୍ୟଜୀବୀମାନେ ଡଲଫିନ୍ ଧରି ଗାଁରେ ପହଞ୍ଚିଥିଲେ। ଏହାକୁ ଖଣ୍ଡ ଖଣ୍ଡ କରି ନିଜ ମଧ୍ୟରେ ବାଣ୍ଟି ନେବା ସହ ସେବନ କରିଥିଲେ।

ପୋଲିସ ଏହି ମାମଲାରେ ଭାରତୀୟ ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି। ଡେପୁଟି ରେଞ୍ଜର ରବିନ୍ଦ୍ର କୁମାର କହିଛନ୍ତି ଯେ ମତ୍ସ୍ୟଜୀବୀମାନେ ଡଲଫିନ୍ ଶିକାର କରି ନେଇ ଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବନ ଅଧିକାରୀମାନେ ଭିଡିଓ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ଯେ ଶିକାର କରିଥିବା ମତ୍ସ୍ୟଜୀବୀମାନେ ସ୍ଥାନୀୟ ପିପରୀ ଥାନା ଅଧୀନ ନସିରପୁର ଗାଁର।