ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ବେଳେ ହିଂସା; ୯ ମୃତ

କୋଲକାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି। କଡା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ରାଜ୍ୟରେ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି, କିନ୍ତୁ ଏହା ସତ୍ତେ ଅନେକ ଅଞ୍ଚଳରୁ ହିଂସା ଖବର ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସା ହୋଇଛି । ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ହୋଇଛି । କୁଚବିହାର ଏବଂ ମୁର୍ସିଦାବାଦରେ ଟିଏମସି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ରାଜ୍ୟରେ ୯ ଜଣଙ୍କର ମୃତ୍ୟୁ ହୋଇଛି। କୁଚବିହାର ଜିଲ୍ଲାରେ ବାଲାଟ ପେପରରେ ନିଆଁ ଲଗାଇବା ସହିତ ବୁଥରେ ଭଙ୍ଗାରୁଜା ହୋଇଥିବା ମଧ୍ୟ ଖବର ମିଳିଛି । ଦୁର୍ବୃତ୍ତମାନେ ବାଲାଟ ଚିରିବା ସହିତ ବୁଥରେ ଥିବା ଭୋଟରଙ୍କୁ ଟାର୍ଗେଟ କରି ବୋମା ଫିଙ୍ଗିଥିବା ଜଣାପଡିଛି । ପୂର୍ବ ମେଦିନପୁର ପଟାସପୁର ପଞ୍ଚାୟତରେ ମଧ୍ୟ ତିବ୍ର ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକମାନଙ୍କୁ ଘଉଡେଇବାକୁୁ ପୁଲିସ ଲାଠି ଚାର୍ଜ କରିଛି । ୨୨ଟି ଜିଲ୍ଲା ପରିଷଦ ୯,୭୩୦ ପଞ୍ଚାୟତ ସମିତି ଏବଂ ୬୩,୨୨୯ ଟି ଗ୍ରାମ ପଞ୍ଚାୟତ ପାଇଁ ନିର୍ବାଚନ ହୋଇଛି । ଗତ ଜୁନ ମାସରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରଠାରୁ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଦେଖିବାକୁୁ ମିଳିଛି । ଅନେକ କ୍ଷେତ୍ରରେ ଉତ୍ତେଜନା ଦେଖାଦେଇଛି ।ଏଥିରେ ଦୁଇ ଜଣ ଟିଏମସି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପୋଲିସ ଓ କେନ୍ଦ୍ରୀୟ ବାହିନୀ ଯବାନ ।