ବାହାନଗା ଷ୍ଟେସନ୍ ର ସିଗନାଲ୍ ଜେଇ ଅମୀର ଖାନଙ୍କ ଭଡ଼ାଘରେ ଚଢ଼ଉ

ବାଲେଶ୍ୱର: କାରଣ ଅସ୍ପଷ୍ଠ ଥିବା ବାହାନଗା ରେଳ ଦୁର୍ଘଟଣାର ଚାଲିଛି ତଦନ୍ତ । ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଚଳାଇଛି ସିବିଆଇ । ସିଗନାଲ ଜେଇଙ୍କୁ ନେଇ ସିବିଆଇ ତଦନ୍ତ କରୁଛି । ବାହାନଗା ଷ୍ଟେସନ୍ର ସିଗ୍ନାଲ୍ ଜେଇ ଅମୀର ଖାନଙ୍କ ସୋର ସ୍ଥିତ ଭଡ଼ାଘରେ ଚଢ଼ଉ କରି ସିଲ୍ କରିଥିଲା । ଆଜି ପୁଣି ଭଡା ଘରେ ପହଞ୍ଚି ସିବିଆଇ ଟିମ ତନାଘନା କରୁଛି । ଦୁର୍ଘଟଣା ପରେ ଭଡାଘରେ ଜେଇ ରହୁନଥିବା ସୂଚନା ମିଳିଥିଲା ।ସେଠାରେ ଆଜି ବିଭିନ୍ନ କାଗଜପତ୍ର ଯାଞ୍ଚ ଚାଲିଛି। ଗତକାଲି ୩ ଜଣିଆ ସିବିଆଇ ଟିମ ଗତକାଲି ସୋର ସ୍ଥିତ ଅମୀରଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲେ। ତାଙ୍କ ପତ୍ନୀ ଘରେ ନଥିବାରୁ ସିବିଆଇ ଅପେକ୍ଷା କରି କରି ଗତକାଲି ସନ୍ଧ୍ୟାରେ ଘର ସିଲ କରିଥିଲା। ଟିମ୍ ସିଲ ପରେ ଫେରି ଆସିଥିଲା। ସୋର ଥାନାର ଦୁଇଜଣ ପୁଲିସ କର୍ମଚାରୀ ଘର ଜଗିଥିଲେ। ଯାହା ଜଣାପଡ଼ିଛି ଶ୍ରୀ ଖାନଙ୍କ ପତ୍ନୀ ପଶ୍ଚିମବଙ୍ଗସ୍ଥିତ ନିଜ ଘରକୁ ଯାଇଛନ୍ତି।
ଚଳିତମାସ ୨ ତାରିଖରେ ଘଟିଥିବା ଏହି ମର୍ମନ୍ତୁଦ ଘଟଣାର ତଦନ୍ତ ଭାର ନେବାପରଠୁ ସିବିଆଇ ଏହା ପଛର କାରଣ ଖୋଜୁଛି। ଏଯାଏ ଷ୍ଟେସନ୍ ମ୍ୟାନେଜରଙ୍କ ସହ ୧୨ ଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏକାଧିକ ଥର ପଚରାଉଚରା କରିବା ସହ ବୟାନ୍ ରେକର୍ଡ କରିଛନ୍ତି ତଦନ୍ତକାରୀ ଟିମ୍। ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟିଜନିତ; ତାହା ଜାଣିବା ପାଇଁ ବୈଷୟିକ ଅଧିକାରୀଙ୍କ ସହାୟତା ବି ଲୋଡ଼ାଯାଇଛି। ଷ୍ଟେସନ୍ର ପ୍ୟାନେଲ୍ ବୋର୍ଡ, ରିଲେ ରୁମ୍ ଓ ସିଗ୍ନାଲ୍ ରୁମ୍ ସିଲ୍ ହୋଇଥିବା ବେଳେ କିଛି ଯାନ୍ତ୍ରିକ ଉପକରଣ ମଧ୍ୟ ଜବତ ହୋଇଛି।