ମୁମ୍ବାଇ: ଓଡ଼ିଶା ଟ୍ରେନ ଦୁର୍ଘଟଣାରେ ପୀଡ଼ୀତ ଲୋକମାନଙ୍କ ଲାଗି ରିଲାଏନ୍ସ ଫାଉଣ୍ଡେସନ ତରଫରୁ ବିଭିନ୍ନ ପ୍ରକାର ରିଲିଫ ସହାୟତା ଘୋଷଣା କରାଯାଇଛି । ଛଅ ମାସ ପର୍ୟ୍ୟନ୍ତ ମାଗଣାରେ ରାସନ, ଆହତମାନଙ୍କୁ ଔଷଧ ଓ ଆବଶ୍ୟକ ସ୍ଥଳେ ଡାକ୍ତରଖାନାରେ ଚିକିତ୍ସା, ଆମ୍ବୁଲାନ୍ସକୁ ମାଗଣାରେ ଇନ୍ଧନ, ୧ ବର୍ଷ ପର୍ୟ୍ୟନ୍ତ ମାଗଣାରେ ମୋବାଇଲ୍ ସଂଯୋଗ ପ୍ରଦାନ ଏବଂ ଏହା ବ୍ୟତୀତ ଜିଓ ଓ ରିଲାଏନ୍ସ ରିଟେଲ୍ ଜରିଆରେ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ଘୋଷଣା କରାଯାଇଛି ।
ରିଲାଏନ୍ସ ଫାଉଣ୍ଡେସନ (ଆର୍ଏଫ୍)ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନି କହିଛନ୍ତି ଯେ, “ଅତ୍ୟନ୍ତ ଦୁଃଖ ଓ ଭାରି ହୃଦୟ ସହ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ମୁଁ ଓଡ଼ିଶାର ଦୁଃଖଦ ଟ୍ରେନ୍ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରଗୁଡ଼ିକୁ ମୋର ଗଭୀର ସମବେଦନା ଜଣାଉଛି । ଏହି ଦୁର୍ଘଟଣା ବିଷୟରେ ଜାଣିବା ପରେ କ୍ଷେତ୍ର ସ୍ଥଳରେ ଉଦ୍ଧାର କାର୍ୟ୍ୟରେ ସାହାଯ୍ୟ କରିବା ଲାଗି ଆମର ସ୍ୱତନ୍ତ୍ର ବିପର୍ୟ୍ୟୟ ପରିଚାଳନା ଟିମ୍କୁ ତୁରନ୍ତ ମୂତୟନ କରାଯାଇଥିଲା । ଆମର ଟିମ୍ ଚବିଶ ଘଂଟା ଆହତମାନଙ୍କୁ ସହାୟତା ଓ ସହଯୋଗ ଜାରି ରଖିଛି ।ଏହି ଦୁଃଖଦ ଘଟଣାର କ୍ଷତିକୁ ଯଦିଓ ଆମେ ଭରଣା କରିପାରିବୁ ନାହିଁ, କିନ୍ତୁ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସେମାନଙ୍କ ଜୀବନକୁ ପୁଣି ଥରେ ଗଢ଼ି ତୋଳିବା ଓ ଭବିଷ୍ୟତ ଲାଗି ପ୍ରସ୍ତୁତ ରହିବାରେ ସାହାଯ୍ୟ କରିବା ଲାଗି ଆମେ ପୂର୍ଣ୍ଣ ପ୍ରତିବଦ୍ଧ ରହିଛୁ ।