ନୂଆଦିଲ୍ଲୀ: ଆମେରିକା ସେନାରେ ଭର୍ଚ୍ୟୁଆଲ୍ ପରୀକ୍ଷଣ ସମୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ ଦ୍ବାରା ପରିଚାଳିତ ଏକ ଡ୍ରୋନ୍ ତା’ର ଅପରେଟର୍ଙ୍କୁ ଶତ୍ରୁ ଭାବି ହତ୍ୟା କରିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି ।
ଗତ ମେ ମାସରେ ଲଣ୍ଡନରେ ଆୟୋଜିତ ‘ଫ୍ୟୁଚର୍ କମ୍ବାଟ୍ ଏୟାର୍ ଆଣ୍ଡ୍ ସ୍ପେସ୍ କ୍ୟାପାବିଲିଟିଜ୍ ସମିଟ’ରେ ଆମେରିକା ବାୟୁସେନାର ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ ପରୀକ୍ଷଣ ଏବଂ ଅଭିଯାନର ମୁଖ୍ୟ କର୍ଣ୍ଣେଲ୍ ଟ୍ୟୁକର୍ ସିଙ୍କୋ ହାମିଲ୍ଟନ୍ କହିଛନ୍ତି, ବ୍ୟବହାରିକ ପରୀକ୍ଷଣରେ ଲକ୍ଷ୍ୟ ହାସଲ କରିବା ଲାଗି ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ ଅତ୍ୟନ୍ତ ଅପ୍ରତ୍ୟାଶିତ ରଣନୀତି ଅବଲମ୍ବନ କରିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ ଦ୍ବାରା ପରିଚାଳିତ ଏହି ବ୍ୟବହାରିକ ପରୀକ୍ଷଣ ସମୟରେ ଉକ୍ତ ଡ୍ରୋନକୁ ଶତ୍ରୁପକ୍ଷର ଏୟାର୍ ଡିଫେନସ ସିଷ୍ଟମ୍ ନଷ୍ଟ କରିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ, ତା’ର ଏହି ଅଭିଯାନରେ ଯିଏ ବାଧା ଦେଲା, ତାକୁ ସେ ହତ୍ୟା କଲା ବୋଲି ହାମିଲ୍ଟନ୍ କହିଛନ୍ତି। ଅପରେଟର୍ଙ୍କୁ ହତ୍ୟା ନ କରିବା ଲାଗି ଉକ୍ତ ସିଷ୍ଟମ୍କୁ ତାଲିମ ଦିଆଯାଇଥିଲେ ବି ତାହାକୁ ସେ ଅମାନ୍ୟ କରିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ ଉପରେ ଅତି ମାତ୍ରାରେ ନିର୍ଭର କରିବା ଅନୁଚିତ ବୋଲି ସେ କହିଛନ୍ତି।