ମାନହାନି ମାମଲାରେ ସର୍ବାଧିକ ଦଣ୍ଡ ପାଇବାରେ ମୁଁ ପ୍ରଥମ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଆମେରିକାରେ ପୁଣିଥରେ ବିଜେପି ସରକାର ଉପରେ ବର୍ଷିଛନ୍ତି। ମାନହାନି ମାମଲାରେ ବୋଧହୁଏ ସେ ହେଉଛନ୍ତି ଅପରାଧିକ ଦଣ୍ଡାଦେଶ ପାଇଥିବା ବ୍ୟକ୍ତି ବୋଲି ରାହୁଲ୍ ଗାନ୍ଧୀ ବୁଧବାର ଦିନ କାଲିଫର୍ଣ୍ଣିଆସ୍ଥିତ ସମ୍ମାନଜନକ ଷ୍ଟାନ୍ଫୋର୍ଡ ବିଶ୍ବବିଦ୍ୟାଳୟ ପରିସରରେ ଉଦବୋଧନ ଦେବା ବେଳେ କହିଛନ୍ତି।
କାଲିଫର୍ଣ୍ଣିଆର ପ୍ରତିଷ୍ଠିତ ଷ୍ଟାନଫୋର୍ଡ ୟୁନିଭର୍ସିଟି କ୍ୟାମ୍ପସରେ ଏକ ଆଲୋଚନାଚକ୍ରକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ‘ମୋର ସଂସଦ ସଦସ୍ୟତା ଯାଇଛି, କିନ୍ତୁ ଏହାଦ୍ୱାରା ମୋତେ କାମ କରିବାର ଅନେକ ସୁଯୋଗ ମିଳିଛି। ମୁଁ ଗଣତନ୍ତ୍ର ବିରୋଧରେ କହୁ ନାହିଁ, ମୁଁ ସେହି ପବିତ୍ର ସ୍ୱାଧୀନ ଅନୁଷ୍ଠାନଗୁଡ଼ିକ ବିଷୟରେ କହୁଛି, ଯାହା ଉପରେ ସରକାର କବଜା କରି ନିଶ୍ଚିତ ଭାବରେ ସେମାନଙ୍କ ଭୂମିକା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି’।
ମୋଦୀ ସାଙ୍ଗିଆ ଉପରେ ରାହୁଲ୍ ଦେଇଥିବା ଟିପ୍ପଣୀଜନିତ ୨୦୧୯ ମାନହାନି ମାମଲାରେ ସୁରତ ଜିଲ୍ଲା ଅଦାଲତ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଓ ଜରିମାନା ଦଣ୍ଡାଦେଶ ଦେବା ପରେ ତାଙ୍କୁ ଲୋକସଭା ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଦେଶର ପରିସ୍ଥିତି ସହିତ ମୁକାବିଲା କରିବା ଲାଗି ବିଦେଶୀ ସହାୟତା ଆବଶ୍ୟକ କରନ୍ତି କି, ବୋଲି ପଚାରା ଯିବାରୁ ରାହୁଲ୍ ତୁରନ୍ତ କହିଲେ, ମୁଁ କାହାରି ଠାରୁ ସାହାଯ୍ୟ ଚାହୁଁନାହିଁ। ମୁଁ ସ୍ପଷ୍ଟ କରି କହୁଛି, ଆମ ସଂଗ୍ରାମ ଆମର। କିନ୍ତୁ, ହଁ, ଏଠାରେ ଭାରତର କେତେକ ତରୁଣ ଶିକ୍ଷାର୍ଥୀ ଅଛନ୍ତି। ତାଙ୍କୁ ଏସବୁ ଜଣାଇବାକୁ ମୁଁ ଚାହୁଁଛି। ଏ ବିଷୟରେ ସେମାନଙ୍କୁ ଜଣାଇବା ମୋର ଅଧିକାର।