ରାମଗଡ଼: ନୋବେଲ ଶାନ୍ତି ପୁରଷ୍କାରରେ ପୁରଷ୍କୃତ ହୋଇଥିବା ପାକିସ୍ତାନୀ ଝିଅ ମଲାଲା ୟୂସୁଫଜାଇଙ୍କ ଫୋଟକୁ ନେଇ ବିବାଦ ଦେଖାଦେଇଛି । ଝାଡ଼ଖଣ୍ଡରେ ଘଟିଥିବା ଏହି ଘଟଣାଟି ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ସୂଚନା ଅନୁସାରେ, ରାମଗଡ଼ ଜିଲ୍ଲା ମଣ୍ଡୁ ବ୍ଲକ ଅନ୍ତର୍ଗତ କୁଜୁ ଅଞ୍ଚଳର ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କୁ ପାଠପଢ଼ା ଲାଗି ଉତ୍ସାହିତ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଲାଲା ୟୂସୁଫଜାଇଙ୍କ ଫୋଟ ଲଗାଯାଇଥିଲା । ଅଞ୍ଚଳବାସୀ ଓ ପଞ୍ଚାୟତ ପ୍ରତିନିଧିମାନଙ୍କ ପ୍ରତିବାଦ ପରେ ଦୁଇଦିନ ତଳେ ଏହି ଫଟୋକୁ ହଟାଇ ଦିଆଯାଇଛି । ଗତ ଜାନୁଆରି ମାସରେ ସ୍କୁଲ ତରଫରୁ ଏହି ବ୍ୟାନର ଲଗାଯାଇଥିଲା। ତେବେ ନିକଟରେ ଏହାର ଏକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସ୍ଥାନୀୟ ଗ୍ରାମବାସୀ ଓ ପଞ୍ଚାୟତ ପ୍ରତିନିଧିମାନେ ମଲାଲାଙ୍କ ଫଟୋ ଥିବା ବ୍ୟାନରକୁ ହଟାଇବା ପାଇଁ ଦାବି କରିଥିଲେ। ଭାରତରେ ବହୁ ପ୍ରେରଣାଦାୟୀ ବ୍ୟକ୍ତିତ୍ବ ଥିବା ବେଳେ ଜଣେ ବିଦେଶିନୀଙ୍କ ଫଟୋ କାହିଁକି ଦିଆଯାଇଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଅଧିକ ବିବାଦରେ ନ ପଶିବା ପାଇଁ ବିଦ୍ୟାଳୟ ତରଫରୁ ଉକ୍ତ ବ୍ୟାନରକୁ ହଟାଇ ଦିଆଯାଇଛି।
କୁଜୁ ୱେଷ୍ଟ ପଞ୍ଚାୟତ ମୁଖିଆ ଜୟ କୁମାର ଓଝା ରବିବାର କହିଥିଲେ, ସାରା ବିଶ୍ବ ଜାଣିଛି ପାକିସ୍ତାନ କେମିତି ଆତଙ୍କବାଦୀଙ୍କୁ ପଠାଇ ଭାରତରେ ଆତଙ୍କ ସୃଷ୍ଟି କରୁଛି। ସୀମାପାର ଆତଙ୍କବାଦ ଯୋଗୁଁ ଭାରତକୁ ବହୁ ମୂଲ୍ୟ ଦେବାକୁ ପଡ଼ୁଛି। ଜଣେ ପାକିସ୍ତାନୀଙ୍କଠାରୁ ଆମେ ଶାନ୍ତିର ପାଠ ପଢ଼ିବାକୁ ଚାହୁନାହୁଁ। ସ୍କୁଲର ପ୍ରଧାନଶିକ୍ଷକ ରବୀନ୍ଦ୍ର ପ୍ରସାଦ କହିଛନ୍ତି, ନାରୀ ଶିକ୍ଷା ପାଇଁ ମଲାଲାଙ୍କ ସଂଘର୍ଷକୁ ମନେ ପକାଇ ପିଲାଙ୍କୁ ପାଠପଢ଼ା ପାଇଁ ଉତ୍ସାହିତ କରିବାକୁ ସେମାନେ ଏହି ବ୍ୟାନର ଲଗାଇଥିଲେ। କିନ୍ତୁ ଏହାକୁ ନେଇ ବିବାଦ ଉପୁଜିବାରୁ ସେମାନେ ଏହାକୁ ହଟାଇ ଦେଇଛନ୍ତି।