ଗୁଜରାଟରେ ଗରିବ ପିଲାଙ୍କ ପାଇଁ ‘ମୋବାଇଲ ସ୍କୁଲ’ ସେବା

ସୁରତ: ଗୁଜରାଟର ସୁରତରେ ଆରମ୍ଭ ହୋଇଛି ‘ମୋବାଇଲ ସ୍କୁଲ’ ସେବା । ଗୁଜରାଟର ଏକ ସ୍ୱେଚ୍ଛାସେବୀ ସଂଗଠନ ଗରିବ ଏବଂ ବସ୍ତି ଅଞ୍ଚଳରେ ରହୁଥିବା ପିଲାମାନଙ୍କ ପାଇଁ ଏହି ସେବା ଆରମ୍ଭ କରିଛି । ଏଣିକି ସ୍କୁଲକୁ ଯିବାକୁ ପଡ଼ିବନି, ସ୍କୁଲ ଆପଣଙ୍କ ପାଖରେ ପହଞ୍ଚିବ। ପ୍ରାର୍ଥନା ଗାଇବେ, ଖେଳିବେ ଆଉ ସେଇ ଖେଳରେ ଖେଳରେ ହେବ ପାଠପଢ଼ା। ବସ୍ତି ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସ୍କୁଲ ବସ୍ ସେବା ଆରମ୍ଭ କରିଛି ବିଦ୍ୟାପୀଠ-ବିଦ୍ୟାକୁଞ୍ଜ ସଂଗଠନ। ପ୍ରତିଦିନ ୩ ଘଣ୍ଟା ଯାଏଁ ପିଲାଙ୍କୁ ବସ୍ରେ ଏମିତି ପାଠ ପଢ଼ାଯାଉଛି। ପିଲାଙ୍କୁ ମାଗଣାରେ ବହି, ସ୍ଲେଟ୍ ସହ ସମସ୍ତ ଆନୁସଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯାଇଛି। ନାଚି ଗାଇ ପିଲାଙ୍କୁ ପାଠ ପଢ଼ାନ୍ତି ସ୍ୱତନ୍ତ୍ର ପ୍ରଶିକ୍ଷିତ ଶିକ୍ଷକ। ପ୍ରତି ବସରେ ୩୨ ଜଣ ପିଲାଙ୍କ ପାଇଁ ବ୍ୟବସ୍ଥା ହୋଇଛି। ପ୍ରାଥମିକ ସ୍ତରରେ କିଛି ବସ୍ ଏବେ ସ୍କୁଲରେ ପରିଣତ ହୋଇଛି। ଆଗକୁ ଆହୁରି ଅନେକ ଏପରି ବସ୍ ସ୍କୁଲ ବ୍ୟବସ୍ଥା ହେବାକୁ ଯୋଜନା କରିଛି ସଂଗଠନ। ଶିକ୍ଷାଠୁ ଦୂରରେ ଥିବା ପିଲାଙ୍କୁ ନୂଆ ଜୀବନ ଦେବାକୁ ଏ ପ୍ରୟାସ।