ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତରମନ୍ତରରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ ସମର୍ଥନର ହାତ ବଢ଼ାଇଛି କୃଷକ ସଂଗଠନ । କିଷାନ ସଂଗଠନ ଏବଂ ଖାପ ପଞ୍ଚାୟତର ବହୁ ସଦସ୍ୟ ଜନ୍ତର ମନ୍ତରରେ ପହଞ୍ଚି ଖେଳାଳୀମାନଙ୍କୁ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି । ବ୍ରିଜଭୂଷଣ ମାମଲାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସରକାରଙ୍କ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଚାପ ବଢ଼ିବାରେ ଲାଗିଛି । ରବିବାର ଭାରତୀୟ କିଷାନ ୟୁନିୟନ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚାର ବହୁ କର୍ମକର୍ତ୍ତା ଜନ୍ତରମନ୍ତରରେ ଏକାଠି ହୋଇଥିଲେ । କୁସ୍ତିଯୋଦ୍ଧା ଏବଂ କୃଷକ ସଂଗଠନ ମିଳିତ ଭାବେ ଏକ ପ୍ରେସ କନଫରେନ୍ସ କରି ସରକାରଙ୍କୁ ୧୫ ଦିନର ସମୟ ଦେଇଛନ୍ତି । ଯଦି ଏହି ସମୟସୀମା ମଧ୍ୟରେ ବ୍ରିଜଭୂଷଣଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଏହା ଉପରେ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।