ପୁରୀ: ଜାମିନ ପାଇଲେ ପଶ୍ଚିମବଙ୍ଗର ୟ୍ୟୁଟୁବର ଅନିମେଶ ଚକ୍ରବର୍ତ୍ତୀ । ପୁରୀ ଶ୍ରୀମନ୍ଦିରରେ ଡ୍ରୋନ ଉଡିବା ଘଟଣାରେ ଗିରଫ ହୋଇଥିଲେ ଅନିମେଶ ଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ । ଶ୍ରୀମନ୍ଦିରର ଡ୍ରୋନ ଭିଡିଓ ଭାଇରାଲ ପରେ ୟ୍ୟୁଟୁବର ଅନିମେଶ ଚକ୍ରବର୍ତ୍ତୀଙ୍କ ନାରେ ସିଂହଦ୍ୱରା ଥାନାରେ ମାମଲା ରୁଜ୍ଜୁ ହୋଇ ଗତ ଜାନୁଆରୀ ୧୯ ତାରିଖରେ ଗିରଫ ହୋଇଥିଲେ । ୟୁନିଫାଏଡ୍ ଅନିମେଶ ନାଁରେ ଏକ ୟୁ-ଟ୍ୟୁବ ଚ୍ୟାନେଲ୍ରେ ଗତ ନଭେମ୍ବର ୧୯ ତାରିଖରେ ଶ୍ରୀମନ୍ଦିର ଉପର ଓ ଭିତର ବେଢ଼ାର ସ୍ପଷ୍ଟ ଭିଡିଓ ଚିତ୍ର ଅପଲୋଡ୍ କରିଥିଲେ। ଯେଉଁଥିରେ ଭିଡିଓ ଉପରେ ୟୁନିଫାଏଡ୍ ଅନିମେଶ ଓ ୟୁନିଫାଏଡ୍ ମୁଭିର ୱାଟର ମାର୍କ ରହିଥିଲା । ଅନିମେଶ ୟୁନିଫାଏଡ୍ ମୁଭିଜ୍ ବ୍ୟାନରରେ କ୍ଷୁଦ୍ର ଚଳଚିତ୍ର ଓ ୱେବ ସିରିଜ୍ ତିଆରି କରୁଥିବା ଜଣାପଡ଼ିଛି। ଏହି ମାମଲାରେ ଗିରଫଦାରୀ ଏଡାଇବା ପାଇଁ ସେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ବେଳେ ଆଗୁଆ ଜାମିନକୁ ଖାରଜ କରିଥିଲେ ହାଇକୋର୍ଟ । ଏହାପରେ ପୁରୀ ପୋଲିସ ଅନିମେଶଙ୍କୁ ଗିରଫ କରିଥିଲା । ଆଜି ନିୟମିତ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।